ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ: ‘ତୁମେ ନବ ଦାସଙ୍କ ଭଳି ଦଶା ଭୋଗିବ’ ବୋଲି କହିଲେ ଅଜ୍ଞାତ ବ୍ୟକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ମିଳିବା ଏକ ସାଧାରଣ କଥା ହୋଇଗଲାଣି । ତେବେ ଏହା ମଧ୍ୟରେ ରାଜ୍ୟର ଜଣେ ବରିଷ୍ଠ ରାଜନେତାଙ୍କୁ ହତ୍ୟା ଧମକ ମିଳିଛି । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଫୋନ୍ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି । ଏନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ଦିଲ୍ଲୀ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିବା ବୈଜୟନ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ତେବେ ନବ ଦାସଙ୍କ ଭଳି ବୈଜୟନ୍ତ ସମାନ ଦଶା ଭୋଗିବେ ବୋଲି ଉକ୍ତ ଅଜ୍ଞାତ ବ୍ୟକ୍ତି ଜଣଙ୍କ ଫୋନରେ ଧମକ ଦେଇଥିବା କୁହାଯାଉଛି । ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ହିନ୍ଦି ଭାଷାରେ କଥା ହେଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ବୈଜୟନ୍ତଙ୍କ ଜଣେ ଆସିଷ୍ଟାଣ୍ଟ ଉକ୍ତ କଲ ରିସିଭ୍ କରିଥିଲେ । ତେବେ ଉକ୍ତ କଲ ଧମକ କି ପ୍ରାଙ୍କ ଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।

ସୂଚନାଯୋଗ୍ୟ ଯେ, ଅନେକ ସମୟରେ ରାଜନେତା, ଫିଲ୍ମଷ୍ଟାରଙ୍କୁ କିଛି ଅଜ୍ଞାତ ବ୍ୟକ୍ତି ଧମକ ଦେଇଥାନ୍ତି । ଗତ ମେ ମାସରେ ୟୁକେରୁ ବଲିଉଡ ଅଭିନେତା ସଲମାନ ଖାନଙ୍କ ନିକଟକୁ ଧମକ ଆସିଥିଲା । ସେହିପରି ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା । ଗତ ଜାନୁଆରୀ ମାସ ୨୯ ତାରିଖରେ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସଆଇ ଗୋପାଳ ଦାସ ଦିନ ଦ୍ୱିପ୍ରହର ସମୟରେ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା ।