ନୂଆଦିଲ୍ଳୀ: ଭାରତ ଋଣବୋଝରେ ବୁଡ଼ିଛି । କେନ୍ଦ୍ର ସରକାର ଯେତେ ଯାହା ସଫେଇ ଦେଲେ ମଧ୍ୟ ଋଣବୋଝ ଦିନକୁ ଦିନ ବୃଦ୍ଧି ପାଇଚାଲିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଉଛି, ଭାରତ ବ୍ରିଟେନକୁ ଅତିକ୍ରମ କରି ବିଶ୍ୱର ଅନ୍ୟତମ ବୃହତ୍ତ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ ହୋଇଛି । ଦେଶର ଅର୍ଥ ବ୍ୟବସ୍ଥା ସୁଦୃଢ଼ ହେଉଛି । ୫ ଟ୍ରିଲିୟନ ଅର୍ଥନୀତିର ନିକଟତର ହେବା ପାଇଁ ଦେଶକୁ ଆଉ କିଛି ଅଳ୍ପ ସମୟ ବାକି । ହେଲେ କେନ୍ଦ୍ର ସରକାର ବିକଶିତ ଅର୍ଥ ବ୍ୟବସ୍ଥାକୁ ନେଇ ଯେଉଁ ଗୋଲାପୀ ଚିତ୍ର ଦେଖାଉଛନ୍ତି ବାସ୍ତବ କ୍ଷେତ୍ରରେ ତାହାର ବିପରୀତ ଘଟିଚାଲିଛି । ବର୍ଷକ ମଧ୍ୟରେ ଭାରତର ଋଣବୋଝ ୮.୨ ପ୍ରତିଶତ ବୃଦ୍ଧି ପାଇଛି ।
ଦେଶର ସ୍ୱର୍ଣ୍ଣ ଭଣ୍ଡାରରେ ୨୭.୧ କୋଟି ଡଲାର ହ୍ରାସ ହୋଇଛି । ଗୋଟିଏ ବର୍ଷରେ ବୈଦେଶିକ ପାଣ୍ଠି ୬୯ ବିଲିୟନ ଡଲାର କମିଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ସାଂଘାତିକ ତଥ୍ୟ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, କେବଳ ସେତିକି ନୁହେଁ ବର୍ଷକରେ ବୈଦେଶିକ ପାଣ୍ଠି ୬୯ ବିଲିୟନ ଡଲାର ହ୍ରାସ ପାଇ ୫୭୩.୯ ବିଲିୟନ ଡଲାରରେ ପହଞ୍ଚିଛି ।
ବିଦେଶ ବଜାରରୁ ଭାରତ ପ୍ରଚୁର ଋଣ ଉଠାଇଛି । ପୂର୍ବ ବର୍ଷ ଋଣ ତୁଳନାରେ ଉପରୋକ୍ତ ଋଣ ପରିମାଣରେ ୮.୨% ବୃଦ୍ଧି ଘଟିଛି । ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ବୈଦେଶିକ ଋଣ ପରିମାଣ ୬୨୦.୭ ବିଲିୟନ ଡଲାରରେ ପହଞ୍ôଚଛି । ତେବେ ୨୦୨୧ ମାର୍ଚ୍ଚ ଶେଷ ବେଳକୁ ଏହି ପରିମାଣ ୫୭୩.୭ ବିଲିୟନ ଡଲାର ରହିଥିଲା । ଏହି ଋଣ ମଧ୍ୟରୁ ୫୩.୨% ଆମେରିକୀୟ ଡଲାରରେ ରହିଥିବାବେଳେ ଭାରତୀୟ ଟଙ୍କା ହିସାବରେ ୩୧.୨% ହେବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ କେନ୍ଦ୍ର ସରକାର ବାରମ୍ବାର ଦେଶର ଅର୍ଥନୈତିକ ସ୍ଥିତିକୁ ନେଇ ଦେଶବାସୀଙ୍କୁ ଯେଉଁ ସ୍ୱପ୍ନ ଦେଖାଉଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତାହାର ଗୁମର ଖୋଲିଦେଇଛି ।