fbpx

ପ୍ରଥମ ଭାରତୀୟ ଭାବେ ଦୀପ୍ତି ଶର୍ମାଙ୍କ ନୂଆ ରେକର୍ଡ: ଅଷ୍ଟ୍ରେଲିଆ ବିପକ୍ଷରେ କମାଲ କଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାଙ୍ଖେଡ଼େ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ମହିଳା କ୍ରିକେଟର ଦୀପ୍ତି ଶର୍ମା ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଦୀପ୍ତି ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ୱିକେଟ ଅକ୍ତିଆର କରି ଏହି ସଫଳତା ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ଦୀପ୍ତିଙ୍କ ବୋଲିଂ ଆଗରେ ପ୍ରତିପକ୍ଷ ଟିମର କୌଣସି ବ୍ୟାଟ୍ସମ୍ୟାନ ତିଷ୍ଠି ପାରିନଥିଲେ ।

ଦୀପ୍ତି ୧୦ ଓଭର ବୋଲିଂ କରି ମାତ୍ର ୩୮ ରନ୍ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟ ଭାରତୀୟ ବୋଲରଙ୍କ ମଧ୍ୟରେ ପୂଜା ଭଷ୍ଟ୍ରାକର, ଶେୟାଙ୍କା ପାଟିଲ ଓ ସ୍ନେହ ରଣା ପ୍ରତ୍ୟେକେ ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଦଳୀୟ ସ୍କୋର ମାତ୍ର ୪୦ ରନ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ୱିକେଟ ହରାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଫୋଏବେ ଲିଟଚିଫିଲ୍ଡ ଓ ଏଲିସେ ପେରୀ ଉଭୟେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଫଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୫୮ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇପାରିଥିଲା ।

୨୬ ବର୍ଷୀୟା ଦୀପ୍ତି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଏହି ବଡ଼ ଉପଲବଧି ହାସଲ କରିଛନ୍ତି । ଏହି ପ୍ରଦର୍ଶନ କରି ଦୀପ୍ତି ଭାରତର ନ୍ୟୁଶିନ ଅଲ ଖଦୀରଙ୍କ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହୋଇପାରିଛନ୍ତି । ପୂର୍ବରୁ ନ୍ୟୁଶିନ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ୨୦୦୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଲିଲେଡରେ ନ୍ୟୁଶିନ ୧୦ ଓଭରରେ ୪୧ ରନ୍ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.