fbpx

IPL-2025 ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ନିଷ୍ପତ୍ତି: କେଉଁ ଦଳରୁ ଖେଳିବେ ଋଷଭ ପନ୍ତ? ସ୍ପଷ୍ଟ କଲା ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ପୁଣିଥରେ ମେଗା ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହାପୂର୍ବରୁ ରିଟେନସନ୍ ପଲିସିକୁ ଅପେକ୍ଷା କରି ରହିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜି । ବିସିସିଆଇ ରିଟେନସନ ପଲିସି ଘୋଷଣା କରିବା ପରେ ଫ୍ରାଞ୍ଚାଇଜି ନିଜ ଦଳ ଚୟନ କରିବା ସହ ଅକ୍ସନ ପାଇଁ ପ୍ରସ୍ତୁତ ହେବେ । କିନ୍ତୁ ଏହାପୂର୍ବରୁ ଋଷଭ ପନ୍ତଙ୍କୁ ନେଇ ଏକ ବଡ଼ ଘୋଷଣା କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଇପିଏଲ-୨୦୨୫ରେ ଋଷଭଙ୍କୁ ରିଟେନସନକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଏକ ସ୍ପଷ୍ଟ ସୂଚନା ଦେଇଛି । ଏହାସହିତ ଋଷଭ ଏହି ଫ୍ରାଞ୍ଚାଇଜି ସହ ଯୋଡ଼ି ହୋଇ ରହିବାକୁ ନେଇ ହେଉଥିବା ଆଲୋଚନା-ପର୍ଯ୍ୟାଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ରିପୋର୍ଟ ଅନୁସାରେ, ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କ ରିଟେନସନକୁ ନେଇ ସ୍ପଷ୍ଟ ସୂଚନା ଦେଇଛି । ଆଇପିଏଲ-୨୦୨୫ ପାଇଁ ଋଷଭ ହିଁ ଦଳର ଅଧିନାୟକ ରହିବେ ବୋଲି କହିଛି ଫ୍ରାଞ୍ଚାଇଜି । ଗତ ମେଗା ଅକ୍ସନ ଭଳି ଆସନ୍ତା ସିଜନରେ ମଧ୍ୟ ଋଷଭ ହିଁ ଦିଲ୍ଲୀର ପ୍ରଥମ ରିଟେନ୍ ଖେଳାଳି ରହିବେ । ତେବେ ଏହି ଘୋଷଣା ସହିତ ଋଷଭଙ୍କୁ ନେଇ ଚାଲିଥିବା ସମସ୍ତ ଆଲୋଚନାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଦୀର୍ଘ ଦିନରୁ ଏହା ଆଲୋଚନା ହେଉଥିଲା ଯେ, ଆସନ୍ତା ଆଇପିଏଲ ସିଜନ ପୂର୍ବରୁ ଋଷଭ ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ିପାରନ୍ତି । ଏହାସହିତ ସେ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଖୁବ ଆଲୋଚନା ହେଉଥିଲା । କିନ୍ତୁ ବର୍ତ୍ତମାନ ଏହିସବୁ ଆଲୋଚନାରେ ପୂର୍ଣ୍ଣ ବିରାମ ଲାଗିଛି ।

ତେବେ ଆସନ୍ତା ସିଜନରେ ଋଷଭଙ୍କୁ ସାମିଲ କରିବା ସହ ତାଙ୍କୁ ଉପହାର ମଧ୍ୟ ଦେଇପାରେ ଦିଲ୍ଲୀ । ଆସନ୍ତା ସିଜନରେ ଋଷଭଙ୍କ ଦରମା ମଧ୍ୟ ବୃଦ୍ଧି ହୋଇପାରେ । ବର୍ତ୍ତମାନ ଋଷଭଙ୍କୁ ପ୍ରତ୍ୟେକ ସିଜନରେ ୧୬ କୋଟି ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଏହି ଦରମା ଆଗକୁ ବୃଦ୍ଧି ହୋଇପାରେ । କାରଣ ବିସିସିଆଇ ମଧ୍ୟ ମେଗା ଅକ୍ସନରେ ଫ୍ରାଞ୍ଚାଇଜି ମାନଙ୍କ ଅକ୍ସନ ପର୍ସ ୯୫ କୋଟି ଟଙ୍କାକୁ ବୃଦ୍ଧି କରିପାରେ । ଯାହାର ପ୍ରଭାବ ଖେଳାଳିଙ୍କ ରିଟେନସନ୍ ଉପରେ ମଧ୍ୟ ଦେଖିବାକୁ ମିଳିପାରେ ।

Get real time updates directly on you device, subscribe now.