fbpx

ଦିଲ୍ଲୀରେ ‘ଅନ୍‌ଲକ୍‌’ ପ୍ରକ୍ରିୟା ଜାରି: ୫୦ ପ୍ରତିଶତ କ୍ଷମତା ସହିତ ଖୋଲିଲା ବାର୍, ଉଦ୍ୟାନ, ବଗିଚା

ନୂଆଦିଲ୍ଲୀ: ଦିଲ୍ଲୀରେ ‘ଅନ୍‌ଲକ୍‌’ ପ୍ରକ୍ରିୟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରବିବାର ‘ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ (ଡିଡିଏମ୍‌ଏ) ରାଜଧାନୀ ନିମନ୍ତେ ଆହୁରି କିଛି କଟକଣାକୁ କୋହଳ କରିଛନ୍ତି । ଜାତୀୟ ରାଜଧାନୀରେ ସୋମବାର ଠାରୁ ୫୦ ପ୍ରତିଶତ କ୍ଷମତା ସହିତ ବିଭିନ୍ନ କ୍ଷେତ୍ର ଖୋଲିବାକୁ ଯାଉଛି । ଏଥିରେ ବାର୍‌, ଉଦ୍ୟାନ, ବଗିଚା, ଗଲ୍‌ଫ୍‌ କ୍ଲବ୍‌ ଏବଂ ମୁକ୍ତାକାଶ ଯୋଗ କାର୍ୟ୍ୟକଳାପ ଆରମ୍ଭ କରାଯାଇ ପାରିବ ବୋଲି ‘ଡିଡିଏମ୍‌ଏ’ ପକ୍ଷରୁ ଏକ ଆଦେଶନାମାରେ କୁହାଯାଇଛି ।

କୋଭିଡ୍-୧୯ର ଦ୍ଵିତୀୟ ଲହର ଯୋଗୁଁ ଦିଲ୍ଲୀରେ କଟକଣା ଜାରି ହୋଇଥିଲା । ହେଲେ ସଂକ୍ରମଣ କମିବା ପରେ ୫୦ ପ୍ରତିଶତ କ୍ଷମତା ସହିତ ସବୁ କଟକଣାକୁ କୋହଳ କରାଯାଇଛି । ସୋମବାର ମଧ୍ୟାହ୍ନ ୧୨ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସବୁ ବାର ପୁଣି ଥରେ ଖୋଲିବାକୁ ଅନୁମତି ପାଇଛନ୍ତି । ରୋସ୍ତୋରାଁ ସବୁ ସକାଳ ୮ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଖୋଲା ଯାଇ ପାରିବ । କିନ୍ତୁ, ସେମାନଙ୍କ ପରିସର ମଧ୍ୟରେ ସରକାରୀ ଗାଇଡ୍‌ଲାଇନ୍‌ ଓ ନିୟମାନୁସାରେ କୋଭିଡ୍-୧୯ ପ୍ରାସଙ୍ଗିକ ଆଚରଣ କଡ଼ାକଡ଼ି ପାଳନ କରାଯାଉଛି ବୋଲି ମାଲିକମାନେ ସୁନିଶ୍ଚିତ ହେବା ଉଚିତ । ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ପାଇଁ ସେମାନେ ଉତ୍ତରଦାୟୀ ରହିବେ ବୋଲି ‘ଡିଡିଏମ୍‌ଏ’ କହିଛି ।

ଶନିବାର ଦିନ ଦିଲ୍ଲୀରେ କୋଭିଡ୍‌-୧୯ଜନିତ ମୃତ୍ୟୁ ୭ ରହିଥିବା ବେଳେ ଏବଂ ୧୩୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟାବଳିରୁ ଜଣାପଡ଼ିଥିଲା । ଦିଲ୍ଲୀରେ ପଜିଟିଭିଟି ହାର ମଧ୍ୟ ୦.୧୮%କୁ ହ୍ରାସ ପାଇଛି ।

Get real time updates directly on you device, subscribe now.