fbpx

ଭାଇରସ୍ ଉପରେ ଭାରି ପଡିବ ସୂକ୍ଷ୍ମ ଜୀବ

ଭାଇରସ୍ ବା ଭୂତାଣୁର ନାଁ ଶୁଣିବା ମାତ୍ରେ ଆମ ମନରେ ରୋଗ କଥା ହିଁ ଆସେ । ଅଦୃଶ୍ୟ ହୋଇଥିଲେ ବି ତାହା ବିଭିନ୍ନ ରୋଗର କାରଣ ହୋଇଥାଏ । ସାଧାରଣତଃ ଭୂତାଣୁଜନିତ ରୋଗକୁ ରୋକିବା ପାଇଁ ଟିକା ପ୍ରସ୍ତୁତ କରାଯାଇଥାଏ । ଆଜି ପର୍ଯ୍ୟନ୍ତ ବି ଅନେକ ଭୂତାଣୁଜନିତ ରୋଗ ପାଇଁ ଔଷଧ କିମ୍ବା ଟିକା ଆସିପାରିନାହିଁ । ଏ ଦିଗରେ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଥିବାବେଳେ ଏକ ଅଜବ ଧରଣ ସୂକ୍ଷ୍ମ ଜୀବ ଆବିଷ୍କାର କରାଯାଇଛି ।

ପୋଖରୀରୁ ବିଶେଷଜ୍ଞମାନେ ଏପରି ଏକ ସୂକ୍ଷ୍ମଜୀବ ଖୋଜି ପାଇଛନ୍ତି ଯାହା ଭୂତାଣୁକୁ ଖାଇଥାଏ । ଏହା ହେଲ୍ଟେରିଆ ପ୍ରଜାତିର ଏବଂ ତାହାକୁ ସିଲିଏଟ୍ କୁହାଯାଉଛି । ସିଲିଏଟ ଜୀବନ ଧାରଣ ପାଇଁ ବହୁମାତ୍ରାରେ କ୍ଲୋରୋଭାଇରସ୍ ଖାଇଥାଏ ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି । ଆମେରିକାର ଲେବ୍ରାସ୍କା-ଲିଙ୍କନ୍ ୟୁନିଭର୍ସିଟିର ଗବେଷକ ଏକ ରିସର୍ଚ୍ଚରେ ପୋଖରୀ ପାଣି ନମୁନାରୁ ସିଲିଏଟକୁ ଖୋଜିଛନ୍ତି । ପୋଖରୀରେ ଥିବା ଏହି ଏକକୋଷୀୟ ଜୀବ ଲକ୍ଷାଧିକ ଭୂତାଣକୁ ଖାଇଯାଇଥାଏ । ଏଥିପାଇଁ ସିଲିଏଟ ନିଜ ଶରୀରର କେଶ ଭଳି ଅଂଶ ସିଲିଆର ବ୍ୟବହାର କରିଥାଏ । ଯାହାଦ୍ୱାରା ଏହା ପାଣିରେ ପହଁରି ଭୂତାଣକୁ ଖୋଜିପାରିଥାଏ ।

ସିଲିଏଟ ଶରୀର ସାରା ସିଲିଆ ଭର୍ତ୍ତି ହେଇଥାଏ । ସିଲିଏଟ ଶରୀରରେ ଭୂତାଣୁ ସଂକ୍ରମଣର କାରଣ ହେବା ପରିବର୍ତ୍ତେ ପୋଷକ ଭଳି କାମ କରିଥାଏ । କ୍ଲୋରୋଭାଇରସ୍କୁ ବୈଜ୍ଞାନିକମାନେ ଭିରୋଭୋରି ଶ୍ରେଣୀରେ ରଖିଛନ୍ତି । ସାଧାରଣତଃ କ୍ଲୋରୋଭାଇରସ୍ ସବୁଜ ଶୈବାଳକୁ ସଂକ୍ରମିତ କରିଥାଏ । ଏଥିଯୋଗୁ ପୋଖରୀ ଭଳି ଜଳାଶୟରେ ଶୈବାଳ ଫୋଟକା ପରି ହେବା ସହ ସେଥିରୁ କାର୍ବନ ବାହାରିଥାଏ । ଏହା ପୋଖରୀରେ ଥିବା ଅନ୍ୟ ଜୀବଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ଜୈବଶୃଙ୍ଖଳା ବଜାୟ ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ।

Get real time updates directly on you device, subscribe now.