fbpx

ଡେଙ୍ଗୁ ପାଇଁ BMCର ନୂଆ ଅଭିଯାନ, ଗଡ଼ିଲା ସଚେତନତା ରଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ଵରରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ଏହାକୁ ରୋକିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ବିଏମସିକୁ ସହଯୋଗର ହାତ ବଢ଼ାଇଛି ସ୍ଵେଚ୍ଛାସେବୀ ସଂଗଠନ ଭୁବନେଶ୍ୱର ରାଉଣ୍ଡ ଟେବଲ ୫୩ । ସ୍ୱାଧୀନତା ଦିବସର ଶୁଭ ଅବସରରେ ବିଆରଟି ୫୩ ଏବଂ ବିଏମସିର ମିଳିତ ଆନୁକୂଲ୍ୟରେ ଡେଙ୍ଗୁ ସଚେତନତା ରଥ ଗଡ଼ିଛି।

ମାଷ୍ଟର କ୍ୟାଣ୍ଟିନ ଛକଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ମୁଖ୍ୟ ଅତିଥି ଭାବେ ସଚେତନତା ରଥ ଗଡ଼ିବା ଶୁଭାରମ୍ଭ କରିଥିଲେ। ବିଏମସି ସହାୟକ କମିସନର ଲିଲନ ପ୍ରସାଦ ସାହୁ ଓ ବିଆରଟି ୫୩ ର ସଭାପତି ମାନିକ ହଂସ ଉପସ୍ଥିତ ଥିଲେ।  ବିଏମସିର ଅତିରିକ୍ତ କମିଶନର ଶ୍ରୀ ସେଠୀ କହିଥିଲେ ଯେ ଭୁବନେଶ୍ୱରକୁ ଡେଙ୍ଗୁ ମୁକ୍ତ କରିବା ଅଭିଯାନରେ ସହରର ସମସ୍ତ ନାଗରିକଙ୍କ ସହଯୋଗ ନିତାନ୍ତ ଆବଶ୍ୟକ। ବିଆରଟି ୫୩ କୋଭିଡ୍ ମହାମାରୀ ସମୟରେ   ସହଯୋଗ କରିଆସିଛି। ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଡେଙ୍ଗୁ ହାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ସହରର ବସ୍ତି ଅଞ୍ଚଳ, ଆପାର୍ଟମେଣ୍ଟ ଓ ସରକାରୀ କ୍ୱାର୍ଟର୍ସ ଅଞ୍ଚଳରେ ବିଆରଟି ୫୩ର ଏହି ସଚେତନତା ରଥ ଲୋକଙ୍କୁ ଡେଙ୍ଗୁ ଠାରୁ ରକ୍ଷା ପାଇବା ଉପାୟ ସମ୍ବନ୍ଧରେ ସଚେତନ କରାଯିବା ଲକ୍ଷ୍ୟ ରଖାଯାଇଛି। ଡେଙ୍ଗୁ ସଚେତନତା ପରିପ୍ରେକ୍ଷୀରେ ବିଏମସିର ସ୍ୱତନ୍ତ୍ର ଦଳ ସହ ବିଆରଟି୫୩ ର ସ୍ଵେଚ୍ଛାସେବୀ ମାନେ ମହାନଗରର ୬୭ ୱାର୍ଡରେ ଘର ଘର ବୁଲିବା ସହ ସଚେତନତା ଲିଫ୍ଲେଟ୍ ବଣ୍ଟନ କରିବେ ଏବଂ ଜନସାଧାରଣଙ୍କୁ ଡେଙ୍ଗୁ ନିମନ୍ତେ ସମସ୍ତ ସତର୍କତା ଅବଲମ୍ବନ ବିଷୟରେ ଅବଗତ କରାଇବେ ବୋଲି ବିଆରଟି ୫୩ ର ସଭାପତି ମାନିକ ହଂସ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.