ୟେ କି ଆଶ୍ଚର୍ଯ୍ଯ ! ସ୍ବର୍ଗରୁ ଓହ୍ଲାଇ ଆସିଲା ଆତ୍ମା, ତିଆରି କଲା ରାସ୍ତା, ଆଉ ତା ପରେ…
ମୃତ ଲୋକ ବନିଲା ଶ୍ରମିକ । ତିଆରି କଲେ ରାସ୍ତା ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଦେଓରିଆରେ।
ଲକ୍ଷ୍ନୌ : ମୃତ ଲୋକ ବନିଲା ଶ୍ରମିକ । ତିଆରି କଲେ ରାସ୍ତା ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଦେଓରିଆରେ। 3 ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଜଣେ ଶ୍ରମିକଙ୍କୁ ମନରେଗା ଅଧୀନରେ ବିକାଶ କାର୍ଯ୍ୟ ପାଇଁ ମଜୁରୀ ଦିଆଯାଉଛି। ଏହି ମାମଲା ସାମ୍ନାକୁ ଆସିବା ପରେ, ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ସିଡିଓ ଏହି ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପୂରା ମାମଲା ଦେଓରିଆ ଜିଲ୍ଲାର ବୈତାଲପୁର ବ୍ଲକର ଲଖନଚାନ୍ଦ ଗାଁର। ଏହି ଗାଁରେ ମନରେଗାରେ ଏକ ବଡ଼ ଧରଣର ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। ଏଠାରେ ମନରେଗା ରେଜିଷ୍ଟରରେ ମୃତ ବ୍ୟକ୍ତିଙ୍କ ଉପସ୍ଥିତି ଦେଖାଇ ମଜୁରୀ ଉଠାଯାଉଛି। କେବଳ ଏତିକି ନୁହେଁ, ଗାଁରେ ନଥିବା ଲୋକମାନେ ମଧ୍ୟ କାଗଜପତ୍ରରେ କାମ କରୁଛନ୍ତି। ସେମାନଙ୍କ ଆକାଉଣ୍ଟକୁ ମଜୁରୀ ମଧ୍ୟ ପଠାଯାଉଛି। ଯାହାକୁ ନେଇ ଗାଁର ଜଣେ ଯୁବକ ଅଭିଯୋଗ କରିଛନ୍ତି ।
ଲଖନଚାନ୍ଦ ଗ୍ରାମର ଜବାହରଙ୍କ ମୃତ୍ୟୁ 3 ବର୍ଷ ପୂର୍ବେ ହୋଇଥିଲା। ଏହା ସତ୍ତ୍ୱେ, ମନରେଗା ଅଧୀନରେ ହେଉଥିବା କାମର ମଜୁରୀ ତାଙ୍କ ଆକାଉଣ୍ଟରେ ଜମା ହେଉଛି। ଏହି ଗାଁର ବାସିନ୍ଦା ଶ୍ରୀନିବାସ, ରାମଲଖନ ପ୍ରସାଦ ଏବଂ ରାମେଶ୍ୱର ବିଭିନ୍ନ ରାଜ୍ୟରେ କାମ କରନ୍ତି। ମନରେଗା ମଜୁରୀ ମଧ୍ୟ ସେମାନଙ୍କ ଆକାଉଣ୍ଟକୁ ପଠାଯାଉଛି।
ସେହି ସମୟରେ, ଯେତେବେଳେ ଦୁର୍ନୀତିର କଥା ସାମ୍ନାକୁ ଆସିଲା, ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା ଯେ ଏହି ମାମଲାରେ କେବେ ଏବଂ କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।