fbpx

ଇସ୍ତଫା ଦେଲେ ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ସେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେଡି ସଂଗଠନକୁ ସୁଦୃଢ଼ କରିବା ପାଇଁ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା । ମାତ୍ର ଉକ୍ତ ଚର୍ଚ୍ଚାକୁ ଶ୍ରୀ ସିଂହ ଖଣ୍ଡନ କରି ନଥିଲେ ।

ଶ୍ରୀ ସିଂହଙ୍କ ଇସ୍ତଫା ନେଇ ଗତ ୭ ତାରିଖ ଦିନ ତମାମ ଚର୍ଚ୍ଚା ଲାଗି ରହିଥିଲା । ତେବେ ବିଧାନସଭା ସଚିବାଳୟ କିମ୍ବା ବାଚସ୍ପତିଙ୍କ ନିକଟକୁ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଇସ୍ତଫା ପତ୍ର ପହଞ୍ଚି ନଥିଲା । ତେବେ ୮ ତାରିଖ ଦିନ ସେ ବିଧିବଦ୍ଧ ଭାବେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଶେଷରେ ଆଜି ଶ୍ରୀ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ଶ୍ରୀ ସିଂହ ଗତ ୨୦୧୯ ମସିହା ଜୁନ ମାସରୁ ଉପବାଚସ୍ପତି ପଦରେ ରହିଥିଲେ । ସେ ଅନୁଗୁଳ ବିଧାନସଭା ଆସନରୁ କ୍ରମାଗତ ୪ ଥର ବିଧାୟକ ଭାବେ ଜିତିଥିଲେ । ଏହା ପୂର୍ବରୁ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ଦଳ ପକ୍ଷରୁ କୁହାଯାଇଥିଲା । ଏହାପରେ ପ୍ରମିଳା ମଲ୍ଲିକ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଭାବେ ଗତ ସେପ୍ଟେମ୍ବର ମାସରେ ଶପଥ ଗ୍ରହଣ କରିଥିଲେ । ଗତ କିଛି ମାସ ହେଲା ବିଜେଡି ପଞ୍ଚାୟତ ଠାରୁ ବ୍ଲକ ସଂଗଠନରେ ଅନେକ ପରିବର୍ତ୍ତନ କରିଛି । ତେଣୁ ସଂଗଠନକୁ ମଜବୁତ କରିବା ଲକ୍ଷ୍ୟରେ ଦଳ ରଜନୀଙ୍କ କ୍ଷେତ୍ରରେ ଏହି ନିଷ୍ପତ୍ତି ନେଇଥାଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.