ନୂଆଦିଲ୍ଲୀ: କ୍ରୁଜ୍ ଡ୍ରଗ୍ସ କେସକୁ ନେଇ ମହାରାଷ୍ଟ୍ରରେ ବିବାଦ ବଢ଼ିବାରେ ଲାଗିଛି । ଏହି ମାମଲା ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଓ ଏନସିବିକୁ ନେଇ ଆରମ୍ଭ ହୋଇଥିବା ବେଳେ ଏବେ ଏହା ବିଜେପି, ଏନସିପି ରାଜନୀତି ଆଡ଼କୁ ଗତି କଲାଣି । ତେବେ ଆଜି ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ନାମରେ ଗଭୀର ଅଭିଯୋଗ ଆଣିଛନ୍ତି । ମହାରାଷ୍ଟ୍ରରେ ଚୋରା ଚାଲାଣ ଓ ଜାଲ ନୋଟ କାରବାର ପଛରେ ଫଡନଭିସଙ୍କ ହାତ ଥିବା ନେଇ ପ୍ରଘଟ କରି ହାଇଡ୍ରୋଜେନ ବମ୍ ବ୍ଲାଷ୍ଟ କରିଛନ୍ତି ନୱାବ ।
ନୱାବ ପୁଣି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦେବେନ୍ଦ୍ର ଅଣ୍ଡରୱାର୍ଲ୍ଡ ସହ ଜଡ଼ିତ କ୍ରିମିନାଲଙ୍କୁ ସରକାରୀ କମିଶନ ଦେବା ସହ ବୋର୍ଡରେ ସ୍ଥାନ ଦେଇଥିଲେ । ହତ୍ୟା ସହ ବିଭିନ୍ନ ଅପରାଧ ଘଟାଇଥିବା ନାଗପୁରର ମୁନ୍ନା ଯାଦବଙ୍କୁ ଦେବେନ୍ଦ୍ର ନିଜର କନଷ୍ଟ୍ରକସନ ବୋର୍ଡରେ ଅଧ୍ୟକ୍ଷ ନିଯୁକ୍ତ କରିଥିଲେ । ଏଥିସହ ହାଇଦର ଆଜମ ନାମକ ଜଣେ ଲୋକକୁ ଦେବେନ୍ଦ୍ର ଫାଇନାନ୍ସ କର୍ପୋରେସନର ଅଧ୍ୟକ୍ଷ କରାଇଥିଲେ । ଉକ୍ତ ବ୍ୟକ୍ତି ବାଂଲାଦେଶୀଙ୍କୁ ମୁମ୍ବାଇରେ ଆଣି ଅବସ୍ଥାପିତ କରାଇବା କାର୍ଯ୍ୟରେ ଲିପ୍ତ ଥିଲା । ଏହି ମାମଲାଟି ତଦନ୍ତ ଚାଲିଥିବା ବେଳେ ସିଏମ ଅଫିସରୁ ଫୋନ୍ ଆସିବା ପରେ ଏହାକୁ ଦବାଇ ଦିଆଯାଇଥିଲା । ୨୦୧୬ ନଭେମ୍ବର ୮ରେ ନୋଟବନ୍ଦୀ ଲାଗୁ ହେବା ପରେ ମହାରାଷ୍ଟ୍ରରେ ଦେବେନ୍ଦ୍ର ଜାଲ ନୋଟ ଖେଳ ଚଳାଇଥିଲେ । ୨୦୧୭ ଅକ୍ଟୋବର ୮ରେ ୧୪ କୋଟି ଜାଲ ନୋଟ୍ ଜବତ ହେବା ପରେ ଦେବେନ୍ଦ୍ର ତାହାକୁ ଦଫାରଫା କରିଥିଲେ । ସୂଚନାଯୋଗ୍ୟ ଯେ, ମଲିକଙ୍କ ଅଣ୍ଡରୱାର୍ଲ୍ଡ ସହ ଲିଙ୍କ ଥିବା ଫଡନବିସ୍ ଆରୋପ ଲଗାଇଥିଲେ । ଅଣ୍ଡରୱାର୍ଲ୍ଡ ସହ ସମ୍ପୃକ୍ତ ଥିବା କିଛି ଲୋକଙ୍କ ଠାରୁ ନୱାବ ଶସ୍ତାରେ ଜମି କିଣିଥିଲେ । ୧୯୯୩ ବମ୍ ବ୍ଲାଷ୍ଟର ଦୋଷୀ ସରଦାର ଶାହ ଓ ମହମ୍ମଦ ସଲିମ ପଟେଲ ଏଥିରେ ସାମିଲ ଥିଲେ । ଦୁହେଁ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହମର ଖାସ୍ ଲୋକ ବୋଲି ଦେବେନ୍ଦ୍ର କହିଥିଲେ ।