fbpx

ଆଗକୁ ଆସୁଛି ଦେବଶୟନୀ ଏକାଦଶୀ: ଜାଣନ୍ତୁ ଏହି ବ୍ରତର ଶୁଭ ମୂହୁର୍ତ୍ତ ଓ ପୂଜା ବିଧି

ଓଡ଼ିଶା ଭାସ୍କର: ଆଷାଢ ମାସର ଏକାଦଶୀ ତିଥିରେ ଦେବଶୟନୀ ଏକାଦଶୀ ପଡ଼ିଥାଏ । ତେବେ ଚଳିତ ବର୍ଷ ଇଂରାଜୀ କାଲେଣ୍ଡର ଅନୁସାରେ ଏହା ଜୁଲାଇ ୧୦ରେ ପଡ଼ିବ । ଚୁତୁର୍ମାସର ଆରମ୍ଭ ଏହି ଦିନ ଠାରୁ ହୋଇଥାଏ । ଏହି ଚତୁର୍ମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ରହିଥାନ୍ତି । ଶ୍ରୀ ବିଷ୍ଣୁ ଯୋଗ ନିଦ୍ରାରେ ଥିବାରୁ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । କିନ୍ତୁ ଭଗବାନ ବିଷ୍ଣୁଙ୍କର ପୂଜା ଏବଂ ବ୍ରତ କରା ଯାଇପାରିବ । ଚତୁର୍ମାସ ଆରମ୍ଭ ହେବା ପରେ ବିବାହ ଏବଂ ଗୃହ ପ୍ରବେଶ ଭଳି ଶୁଭ କାର୍ଯ୍ୟ ବନ୍ଦ ରହିଥାଏ । ଏହି ୪ମାସରେ ଭଗବାନ ବିଷ୍ଣୁ ଉଭୟ ସୃଷ୍ଟିକର୍ତ୍ତା ଏବଂ ସଂହାରକର୍ତ୍ତାର ଭୂମିକାରେ ରହିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଦେବଶୟନୀ ଏକାଦଶୀ ବ୍ରତର ଶୁଭ ମୂହୁର୍ତ୍ତ ଓ ପୂଜା ବିଧି ।

ଦେବଶୟନୀ ବ୍ରତର ଶୁଭ ମୂହୁର୍ତ୍ତ:
ଆଷାଢ ମାସ ଶୁକ୍ଳ ଏକାଦଶୀ ତିଥି ୯ଜୁଲାଇ ଶନିବାର ସନ୍ଧ୍ୟା ୦୪.୩୯ ମିନିଟରୁ ଆରମ୍ଭ ହୋଇ ୧୦ ଜୁଲାଇ ରବିବାର ଦ୍ୱିପ୍ରହର ୦୨.୧୩ ପର୍ଯ୍ୟନ୍ତ ରହିଛି । ସେହିପରି ରବି ଯୋଗ ୧୦ ଜୁଲାଇ ୦୫.୩୧ ମିନିଟରୁ ଆରମ୍ଭ ହୋଇ ୧୧ ଜୁଲାଇ ସକାଳ ୦୯.୫୫ ମିନିଟରେ ଶେଷ ହେବ । ଶୁଭ ଯୋଗର ପ୍ରାରମ୍ଭ ସମୟ ୧୦ ଜୁଲାଇ ସକାଳ ସମୟରୁ ଆରମ୍ଭ ହୋଇ ମଧ୍ୟ ରାତ୍ରି ୧୨.୪୫ ମିନିଟରେ ଶେଷ ହେବ । ଏବଂ ବ୍ରତ ଧାରଣର ସମୟ ୧୧ ଜୁଲାଇ ପ୍ରାତଃ ସମୟ ୦୫.୩୧ ମିନିଟରୁ ସକାଳ ୦୮. ୧୭ ମିନିଟ ପର୍ଯ୍ୟନ୍ତ ରହିଛି ।

ବ୍ରତ ଓ ପୂଜା ବିଧି:
ବ୍ରତ ଦିନ ପ୍ରାତଃ ସ୍ନାନ ସାରି ପୂଜା ସଂକଳ୍ପ କରିବା ଆବଶ୍ୟକ । ଏଥିପାଇଁ ଆପଣଙ୍କୁ ହାତରେ ଜଳ ଓ ପୁଷ୍ପ ଧରି ସଂକଳ୍ପ କରିବାକୁ ହେବ । ଶୟନ ଏକାଦଶୀ ହୋଇଥିବାରୁ ଭଗବାନ ବିଷ୍ଣୁଙ୍କ ଶୟନମୁଦ୍ରାର ଏକ ଫଟୋଚିତ୍ରକୁ ସ୍ଥାପନ କରି ପୂଜା କରିବାକୁ ହେବ । ଏହା ପରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ଆପଣମାନେ ପୂଜା କରିବେ । ନାରାୟଣଙ୍କ ଅତିପ୍ରିୟ ହଳଦିଆ ବସ୍ତ୍ର, ହଳଦିଆ ଫୁଲ, ଫଳ, ଚନ୍ଦନ, ପାନ ପତ୍ର, ସୁପାରୀ, ତୁଳସୀ ପତ୍ର, ପଞ୍ଚାମୃତ ଆଦି ଭଗବାନଙ୍କ ନିକଟରେ ଅର୍ପଣ କରିବେ । ବ୍ରତ ସମୟରେ ‘ଓମ ଭଗବତେ ବାସୁଦେବାୟ ନମଃ’ର ମନ୍ତ୍ର ଜପ କରିବାକୁ ହୋଇଥାଏ ।

ବ୍ରତ ଦିନ ବିଷ୍ଣୁ ଚାଳିସା, ବିଷ୍ଣୁ ସହସ୍ର ନାମ ଏବଂ ଦେବଶୟନୀ ଏକାଦଶୀ ବ୍ରତ କଥା ପାଠ କରାଯାଇଥାଏ । ବିଷ୍ଣୁଙ୍କ ଆଳତୀ ଦ୍ୱାରା ପୂଜା ଶେଷ ହୋଇଥାଏ । ବ୍ରତ ଦିନ କେବଳ ଫଳମୂଳ ଖାଇ ରହିବା ସହ ଭଜନ କୀର୍ତ୍ତନ କରି ରାତ୍ରି ଉଜାଗର ହୋଇ ରହିବାକୁ ହୋଇଥାଏ । ବ୍ରତ ପର ଦିନ ସ୍ନାନ ସାରି ବିଷ୍ଣୁଙ୍କୁ ପୂଜା କରି ବ୍ରାହ୍ମଣଙ୍କ ବସ୍ତ୍ର, ଅନ୍ନ ସହ ଦକ୍ଷିଣା ଦେବାକୁ ହୋଇଥାଏ । ଏହି ନୀତି ନିୟମକୁ ଅନୁସରଣ କରି ଦେବଶୟନୀ ଏକାଦଶୀ ବ୍ରତ ପାଳନ କରାଯାଇଥାଏ ।

Get real time updates directly on you device, subscribe now.