fbpx

ଆଜି ଧନତେରସ୍: ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼; ସୋ’ ରୁମ୍‌ ଗୁଡ଼ିକରେ ସୁନା, ହୀରା, ପ୍ଲାଟିନମ୍, ‌‌ପ୍ରିସିୟମ୍ ଷ୍ଟୋନ୍‌ ଖଚିତ ଅଳଙ୍କାରର ସମ୍ଭାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଧନ୍‌ତେରସ୍‌ କୁ ନେଇ ଗହଣା ବ୍ୟବସାୟୀ ମାନେ ବେଶ୍‌ ଉତ୍ସାହିତ ଅଛନ୍ତି । ସୁନା ମୂଲ୍ୟ ଗତବର୍ଷ ତୁଳନାରେ ନିମ୍ନସ୍ତରରେ ଥିବାରୁ ଗ୍ରାହକମାନଙ୍କ ସଂଖ୍ୟାରେ ବଡ଼ଧରଣର ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଭୁବନେଶ୍ବର ତଥା ରାଜ୍ୟର ପ୍ରମୁଖ ସହରରେ ଥିବା ଅଳଙ୍କାର ସୋ’ରୁମ୍‌ ଗୁଡ଼ିକ ଆଲୋକମାଳାରେ ବେଶ୍‌ ଆକର୍ଷଣୀୟ ଭାବରେ ସଜା ଯାଇଛି। ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ମାଳମାଳ ଅଫର ରଖିଛନ୍ତି ଗହଣା ବ୍ୟବସାୟୀ । କୋଭିଡ୍ ଗାଇଡ୍‌ଲାଇନ୍‌କୁ ପାଳନ କରିବାଠାରୁ ଆରମ୍ଭ କରି ଗ୍ରାହକମାନଙ୍କୁ ସପିଙ୍ଗ୍‌ କରିବାର ସୁବିଧାଜନକ ସୁଯୋଗ ଦେବା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ତେବେ ଆଜି ଧନତେରସ ଥିବାରୁ ସୁନା ରୁପା କିଣାକିଣିରେ ଭଲ ଲାଭ ପାଇବା ପାଇଁ ଗହଣା ଦୋକାନୀ ମାନେ ଅନେକ ପ୍ରକାର ପ୍ରସ୍ତୁତି କରିଛନ୍ତି । ମନଲୋଭା ଅଫର ସହିତ ଆଗୁଆ ବୁକିଂ କରିବାର ସୁବିଧା ମଧ୍ୟ ଉପଲବ୍ଧ କରାଇଛନ୍ତି ଗହଣା ବ୍ୟବସାୟୀ । ଏଥର ସୁନା, ହୀରା, ପ୍ଲାଟିନମ୍, ‌‌ପ୍ରିସିୟମ୍ ଷ୍ଟୋନ୍‌ ଖଚିତ ଗହଣାର ବ୍ୟାପକ ସମ୍ଭାର ସୋ’ ରୁମ୍‌ଗୁଡ଼ିକରେ ରହିଛି । ତେଣୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ରିହାତି ସହିତ ହୀରା ଗହଣାର ମୂଲ୍ୟ ଉପରେ ରିହାତି ଘୋଷଣା କରାଯାଇଛି । କିଛି ବ୍ୟବସାୟୀ ପ୍ରତି ମାସ ସୁନା ଉପରେ ଆର୍ଥିକ ରିହାତି ଘୋଷଣା କରିଛନ୍ତି। ପ୍ରତିଷ୍ଠିତ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ଗ୍ରାହକମାନଙ୍କ ଲାଗି ସ୍ବତନ୍ତ୍ର ଅଳଙ୍କାର ସମ୍ଭାର ଆଣିଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ବଡ଼ ବଡ଼ ଗହଣା ସୋ’ରୁମ୍‌ଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ନିଜ ଆକର୍ଷଣୀୟ ଅଫର୍‌ଗୁଡ଼ିକ ବିଷୟରେ ଲୋକମାନଙ୍କୁ ଅବଗତ କରିବା ଲାଗି ଗଣମାଧ୍ୟମ ଓ ଡିଜିଟାଲ୍ ମିଡିଆରେ ବ୍ୟାପକ ପ୍ରଚାର କରାଯାଉଛି।

ମହାମାରୀ ବ୍ୟାପିବା ପୂର୍ବବର୍ଷ ‌ଯେଉଁଭଳି ବିକ୍ରି ହୋଇଥିଲା, ଏଥର ସେଭଳି ବିକ୍ରି ହେବାର ସମ୍ଭାବନା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୪୬-୪୭ ହଜାର ଟଙ୍କା ମଧ୍ୟରେ ରହିଛି। ୨୦୨୦ ମୂଲ୍ୟ ତୁଳନାରେ ଏହା ୫% କମ୍। ବିବାହ ଋତୁ ଆସୁଥିବା ବେଳେ ଲୋକମାନେ ସୁନା କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ‌ କୁହାଯାଏ ଧନ୍‌ତେରସ୍‌ରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି। ଲୋକମାନଙ୍କ ମନରେ ରହିଥିବା ସେହି ଭାବନାକୁ ନଜରରେ ରଖି ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଅଳଙ୍କାର, ସୁନା ଓ ରୁପା କଏନ୍ ଆଦି ‌ଯୋଗାଇବା ଲାଗି ସୁନା ଦୋକାନୀମାନେ ପ୍ରସ୍ତୁତ ହୋଇଛନ୍ତି।

 

Get real time updates directly on you device, subscribe now.