fbpx

ଦିଲ୍ଲୀ ଗ୍ରାଉଣ୍ଡରେ ମାହି ଦେଲେ ଅବସରର ସଂକେତ! ଚେନ୍ନାଇର ବିସ୍ଫୋରକ ଇନିଂସ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ବିସ୍ପୋରକ ଇନିଂସ ଖେଳ ଦେଖାଇଛି ଚେନ୍ନାଇ ସୁପର କିଙ୍ଗସ । ମାତ୍ର ୨୦ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୨୪ ରନର ଏକ ବିଶାଳକାୟ ଟାର୍ଗେଟ ଦେଇଛି ଧୋନୀ ବାହିନୀ । ଓପନର ଋତୁରାଜ ଗାଏକ୍ୱାଡ ଏବଂ ଡେଭନ କନୱେଙ୍କ ଦମଦାର ଅର୍ଦ୍ଧଶତକ ବଳରେ ସିଏସକେ ପ୍ଲେଅଫ ପାଇଁ ନିଜ ଦବଦବାକୁ ଆହୁରି ମଜବୁତ କରିଛି । କିନ୍ତୁ ଏହି ମ୍ୟାଚରେ କ୍ୟାପଟେନ କୁଲ ମାହି ନିଜର ଅବସରକୁ ନେଇ ଏକ ସଂକେତ ଦେଇଥିବା କୁହାଯାଉଛି । ଆଜିର ଇନିଂସକୁ ଦେଖି ମ୍ୟାଚ ପରେ ଧୋନୀ ଆଇପିଏଲରୁ ଅବସର ଘୋଷଣା କରିପାରନ୍ତି ବୋଲି ପୁଣି ଚର୍ଚ୍ଚା ଜୋର ଧରିଛି ।

ଦିଲ୍ଲୀ ବିପକ୍ଷ ଏହି ମ୍ୟାଚରେ ପ୍ରଥମ ଥର ପାଇଁ ଧୋନୀ ଚତୁର୍ଥ ସ୍ଥାନରେ ଖେଳିବା ପାଇଁ ମଇଦାନକୁ ଆସିଛନ୍ତି । ସେପଟେ ଲିଗ୍ ମ୍ୟାଚରେ ଏହା ଚେନ୍ନାଇର ଶେଷ ମ୍ୟାଚ । ତେଣୁ ଧୋନୀ ଏହି ମ୍ୟାଚରେ ଫ୍ୟାନ୍ସମାନଙ୍କ ଇଚ୍ଛାକୁ ପୂରଣ କରି ଟପ୍ ଅର୍ଡରରେ ଖେଳିବାକୁ ଆସିଛନ୍ତି ଏବଂ ଏହାପରେ ସେ ବୋଧହୁଏ ଅବସର ଘୋଷଣା କରିପାରନ୍ତି ବୋଲି ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କିନ୍ତୁ ପ୍ରକୃତ ଘଟଣା ହେଉଛି, ଡେଭନ କନୱେ ଇନିଂସର ୧୯ତମ ଓଭରରେ ଆଉଟ ହୋଇଥିଲେ । ଧୋନୀ ଦଳର ସର୍ବଶ୍ରେଷ୍ଠ ଫିନିଶର ଏବଂ ବଡ ଶଟ୍ ଖେଳିବା ପାଇଁ ପ୍ରସ୍ତୁତ । ତେଣୁ ସେ ରାହାଣେ ଏବଂ ରାୟୁଡୁଙ୍କ ପୂର୍ବରୁ ମଇଦାନକୁ ଆସିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ସେ ୪ଟି ବଲ ଖେଳିବାର ସୁଯୋଗ ପାଇଛନ୍ତି ଯେଉଁଥିରେ ୫ ରନ କରିଛନ୍ତି କ୍ୟାପଟେନ କୁଲ ମାହି ।

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଏମ.ଏସ ଧୋନୀ । ଯାହାର ଫାଇଦା ଉଠାଇଛନ୍ତି ଓପନର ଋତୁରାଜ ଗାଏକ୍ୱାଡ ଏବଂ ଡେଭନ କନୱେ । ପ୍ରଥମରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଉଭୟ ଖେଳାଳି । ଉଭୟଙ୍କ ବିସ୍ପୋରକ ବ୍ୟାଟିଂରେ ୫ ଓଭରରେ ଦଳ ୫୦ ରନ ଛୁଇଁଥିବା ବେଳେ ମାତ୍ର ୧୪ ଓଭରରେ ୧୪୦ ରନ ପୂରଣ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ତେବେ ୧୫ତମ ଓଭରରେ ଚେତନ ସକାରିୟା ଋତୁରାଜ ଗାଏକ୍ୱାଡଙ୍କୁ ଆଉଟ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ । ତେବେ ଋତୁରାଜ ୫୦ ବଲରୁ ୩ଟି ଚୌକା ଏବଂ ୭ଟି ବିଶାଳ ଛକା ସହ ୭୯ ରନର ଏକ ଦମଦାର ପାଳି ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇ ସାରିଥିଲେ । ଏହାପରେ ଶିବମ ଦୁବେ ମଧ୍ୟ ଡେଭନ କନୱେଙ୍କ ସହ ମିଶି ବଡ ପାଳି ଖେଳିବାକୁ ଚେଷ୍ଟା କରି ପାଭିଲିୟନ ଫେରିଥିଲେ । କିନ୍ତୁ ମାତ୍ର ୯ ବଲରୁ ୩ଟି ଛକା ସହ ୨୨ ରନର ଏକ ଦ୍ରୁତ ଇନିଂସ ଖେଳିବା ସହ ମୋମେଣ୍ଟମ ବଜାୟ ରଖିଥିଲେ ।

ଏହାପରେ ରାହାଣେ ଏବଂ ରାୟୁଡୁଙ୍କ ପରିବର୍ତ୍ତେ ମଇଦାନକୁ ଆସିଥିଲେ ନିଜେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଯାହା ସାରା ସିଜନରେ ଦେଖିବାକୁ ମିଳିନଥିଲା । ଚତୁର୍ଥ ସ୍ଥାନରେ ଖେଳିବାକୁ ଆସି ସାରା କ୍ରିକେଟ ଷ୍ଟାଡିୟମକୁ ସେ କୁସି କରି ଦେଇଥିଲେ । କିନ୍ତୁ ମାହି ଆସିବା ପରେ ଶତକ ଦିଗରେ ଯାଉଥିବା କନୱେ ମଧ୍ୟ ଆଉଟ ହୋଇ ପାଭିଲିୟନ ଫେରିଥିଲେ । କିନ୍ତୁ ୫୨ ବଲରୁ ୮୭ ରନର ଏକ ବିସ୍ପୋରକ ଇନିଂସ ଖେଳିଛନ୍ତି କନୱେ, ଯେଉଁଥିରେ ସାମିଲ ରହିଛି ୧୧ଟି ଚୌକା ଏବଂ ୩ଟି ଛକା । ଋତୁରାଜ ଏବଂ କନୱେଙ୍କ ପରେ ରବିନ୍ଦ୍ର ଜାଡେଜା ୭ ବଲରୁ ୨୦ ରନର ପାଳି ଖେଳି ଦଳର ସ୍କୋର ୨୨୩ରେ ପହଞ୍ଚାଇଛନ୍ତି । ତେବେ ଏହି ସ୍କୋର ଦଳକୁ ପ୍ଲେ-ଅଫ ଟିକେଟ ଦେବା ପାଇଁ ଯଥେଷ୍ଟ ହୋଇପାରେ ।

Get real time updates directly on you device, subscribe now.