fbpx

ଏଣିକି ସରକାରୀ ବିଲରେ Digital Signature ବାଧ୍ୟତାମୂଳକ: ଆସନ୍ତା ମାସରୁ ଲାଗୁ ହେବ, ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଅର୍ଥ ବିଭାଗ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟ ସରକାରଙ୍କ ସରକାରୀ ବିଲରେ ଡିଜିଟାଲ ଦସ୍ତଖତ ରହିବ । ଆସନ୍ତା ମାସ ୨୨ ତାରିଖରୁ ଏହି ନୂଆ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ । ଡିଜିଟାଲ ଦସ୍ତଖତ ନଥିଲେ ବିଲ, ସବ-ଭାଉଚର ଟ୍ରେଜେରୀ ଜେନେରାଲଙ୍କ କାର୍ଯ୍ୟାଳୟରେ ଗ୍ରହଣ କରାଯିବ ନାହିଁ । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏନେଇ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ।

ଚଳିତ ଆର୍ଥିକ ବର୍ଷରୁ ରାଜ୍ୟରେ ଇ-ଭାଉଚର ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଅର୍ଥମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି । କେବଳ ଡିଜିଟାଲ ଦସ୍ତଖତ ସହ ଆସିଥିବା ବିଲ୍ ଆକାଉଣ୍ଟାଣ୍ଟ ଜେନେରାଲ ଗ୍ରହଣ କରିବେ । ନୂଆ ବ୍ୟବସ୍ଥା ବାଧ୍ୟତାମୂଳକ ହେବା ପୂର୍ବରୁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିଛନ୍ତି । ଡିଜିଟାଲ ସେବାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଇଣ୍ଟିଗ୍ରେଟେଡ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଏଫଏମଏସ) ପୋର୍ଟାଲ କାର୍ଯ୍ୟକାରୀ କରିଛନ୍ତି ।

ଆସନ୍ତା ମାସ ୨୨ ତାରିଖ ପରଠାରୁ କୌଣସି ବିଲ୍ କାଗଜପତ୍ରରେ ଦେଲେ ଗ୍ରହଣ କରାଯିବ ନାହିଁ । ସମସ୍ତ ବିଲ ଦୂର ସଞ୍ଚାର ମାଧ୍ୟମରେ କୋଷାଗାରକୁ ପ୍ରଦାନ କରିବାକୁ ପଡ଼ିବ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଡିଡିଓ ତାଙ୍କ ଡିଜିଟାଲ ଦସ୍ତଖତ କରାଇନେବା ବାଧ୍ୟତାମୂଳକ । ଯଦି କୌଣସି ବିଭାଗର ଡିଡିଓ ଡିଜିଟାଲ ବିଲ୍ ପ୍ରଚଳନ ନ କରନ୍ତି, ତେବେ କର୍ମଚାରୀଙ୍କ ଦରମା ସହିତ ଅନ୍ୟାନ୍ୟ ଆର୍ଥିକ ଅନୁମୋଦନ କାର୍ଯ୍ୟରେ ସମସ୍ୟା ଉପୁଜିବ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୯୫ ହଜାର ୫୦୮ଟି ବିଲ୍ ଡିଜିଟାଲ ମାଧ୍ୟମରେ ହେବାକୁ ଥିବା ବେଳେ ୯୩ ହଜାର ୧୧୪ଟି ବିଲ୍ ସମ୍ପାଦିତ ହୋଇସାରିଛି ।

Get real time updates directly on you device, subscribe now.