fbpx

ମେଟା-ଟ୍ଵିଟର ପରେ Disneyର ବଡ ପଦକ୍ଷେପ, କର୍ମଚାରୀଙ୍କ ହେବ ଛଟେଇ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଓ୍ଵେବସାଇଟ୍ ଟ୍ଵିଟର, ମେଟା ସମେତ ଅନେକ କମ୍ପାନିରେ ଛଟେଇ ପରେ ବର୍ତ୍ତମାନ ଓ୍ଵାଲ୍ଟ ଡିଜନୀ ମଧ୍ୟ ବଡ ପଦକ୍ଷେପ ନେଇଛି। କମ୍ପାନି ନୂତନ ନିଯୁକ୍ତି ଉପରେ ରୋକ୍ ଲଗାଇବା ସହ କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା କରିଛି। କମ୍ପାନିର ଆୟ ହ୍ରାସ ହେଉଥିବାରୁ ଏମିତି ପଦକ୍ଷେପ ନିଆଯାଉଥିବା କର୍ତ୍ତୃପକ୍ଷ କହିଛନ୍ତି। ଉଲ୍ଲେଖନୀୟ ପାଶ୍ଚାତ୍ୟ ଦେଶଗୁଡିକର ଅର୍ଥନୀତି ଅନିଶ୍ଚିତତା ଦେଇ ଗତି କରୁଛି। ଫଳରେ ଦୁନିଆରେ ମାନ୍ଦାବସ୍ଥା ଘନେଇଲାଣି। ଡିଜନୀ ମୁଖ୍ୟ ପରିଚାଳକ ବବ ଚାପେକ କମ୍ପାନିର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ କହିଛନ୍ତି। କିଛି କର୍ମଚାରୀଙ୍କ ଛଟେଇ ପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚାପେକ୍ ଲେଖିଛନ୍ତି, କିଛି ଆର୍ଥିକ କାରକ ଆମ ନିୟୟନ୍ତ୍ରଣରେ ନାହିଁ। ଲକ୍ଷ୍ୟପ୍ରାପ୍ତି ପାଇଁ ଆମକୁ କିଛି କଠୋର ପଦକ୍ଷେପ ନେବାକୁ ପଡିବ। ତେଣୁ ଖର୍ଚ୍ଚକାଟ କମ କରାଯିବା ସହ କର୍ମଚାରୀଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଯିବା ସହ କିଛି କର୍ମଚାରୀଙ୍କୁ ଛଟେଇ କରାଯିବ। କମ୍ପାନି ବର୍ତ୍ତମାନ ଦେଖି ଚାହିଁ କାମ କରିବ। କିନ୍ତୁ କାମର ଗୁଣବତ୍ତାରେ କୌଣସି ସାଲିସ୍ କରାଯାଇ ପାରିବ ନାହିଁ ବୋଲି ଚାପେକ୍ କହିଛନ୍ତି।

ଉଲ୍ଲେଖନୀୟ ମନୋରଞ୍ଜନ ଜଗତର ପ୍ରତିଷ୍ଠିତ କମ୍ପାନି ଡିଜନୀକୁ ନିଜର ଷ୍ଟ୍ରିମିଂ ଭିଡିଓରୁ ବହୁତ କ୍ଷତି ସହିବାକୁ ପଡିଛି। ଫଳସ୍ଵରୂପ କମ୍ପାନିର ସେୟାରରେ ୧୩ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଡିଜନୀ କହିଛି, ବଢୁଥିବା ସେବା ସହ ଚତୁର୍ଥ ତ୍ରୈମାସରେ ୧୨ ମିଲିୟନ ଗ୍ରାହକ ଯୋଡିବାରେ ସଫଳ ହୋଇଛୁ, ମାତ୍ର ପରିଚାଳନାରେ ଆମକୁ ୧.୫ ବିଲିୟନ ଡଲାରର ଘାଟା ହୋଇଛି। କମ୍ପାନି କହିଛି, ଆର୍ଥିକ ବର୍ଷ ୨୦୨୪ ବେଳକୁ ଲାଭ ମିଳିବା ଆରମ୍ଭ ହୋଇଯିବ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଫେସବୁକର ପ୍ୟାରେଣ୍ଟ କମ୍ପାନି ମେଟା ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ୧୮ ବର୍ଷର ଇତିହାସରେ ପ୍ରଥମ ଥର ଫେସବୁକ ଏତେ ବଡ ସ୍ତରରେ ଛଟେଇ କରିଛି। ନିକଟରେ ଏଲନ ମସ୍କ ଟ୍ଵିଟରର ଅଧିଗ୍ରହଣ କରିବା ପରେ ବହୁ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ କରିଛି।

Get real time updates directly on you device, subscribe now.