ନୂଆଦିଲ୍ଲୀ: ଅତି ଆବଶ୍ୟକ ନ ହେଲେ ମିଆଁମାର ନଯିବାକୁ ଭାରତ ସରକାରଙ୍କ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ସେଠାକାର ବିଦ୍ରୋହୀ ମିଲିସିଆ ଗୋଷ୍ଠୀ ପିପୁଲ୍ସ ଡିଫେନ୍ସ ଫୋର୍ସ (ପିଡିଏଫ) ଏବଂ ସୈନିକଙ୍କ ମଧ୍ୟରେ ଚାଲିଥିବା ଲଢେଇକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ ମିଆଁମାରରେ ରହୁଥିବା ଭାରତୀୟମାନେ ଏକ ଫର୍ମ ପୂରଣ କରି ଭାରତୀୟ ଦୂତାବାସରେ ନିଜକୁ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି।
ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଭାରତୀୟ ନାଗରିକଙ୍କୁ କୁହାଯାଇଛି ଯେ ଅତି ଆବଶ୍ୟକ ନ ପଡ଼ିଲେ ଆପଣ ମିଆଁମାରକୁ ଯାଆନ୍ତୁ ନାହିଁ । ଏହାବ୍ୟତୀତ ମିଆଁମାରରେ ପୂର୍ବରୁ ରହୁଥିବା ଲୋକମାନେ ହିଂସା ପ୍ରଭାବିତ ଅଞ୍ଚଳକୁ ଯିବା ଉଚିତ ନୁହେଁ ବୋଲି କୁହାଯାଇଛି । ସେହିପରି ସଡ଼କ ପଥରେ ଆନ୍ତଃରାଜ୍ୟ ଯାତ୍ରାରୁ ମଧ୍ୟ ଦୂରେଇ ରହିବା ଉଚିତ ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ।
ଏଠାରେ କହି ରଖୁଛୁ ଯେ, ମିଆଁମାରର ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । ନିକଟରେ ପିଡିଏଫ ମିଆଁମାର ରାଜ୍ୟ ଉପରେ ଆକ୍ରମଣ କରିଥିଲା । ଏହାର ଜବାବରେ ମିଆଁମାର ସେନା ପ୍ରତି ଆକ୍ରମଣ କରିଥିଲା । ମିଆଁମାରର ଚୀନ ପ୍ରଦେଶରେ ହୋଇଥିବା ଆକ୍ରମଣ ଯୋଗୁଁ ଅନେକ ମିଆଁମାର ସୈନିକ ପ୍ରାଣ ବିକଳରେ ଭାରତକୁ ପଳାଇ ଆସିଥିଲେ । ଗତ ୧୯ରେ ଭାରତର ମିଜୋରାମ ରାଜ୍ୟକୁ ପଳାଇଆସିଥିବା ୨୯ ଜଣ ମିଆଁମାର ସୈନ୍ୟଙ୍କୁ ଭାରତ ପକ୍ଷରୁ ସେଠାକାର ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା ।