fbpx

୧୩ ମାସରେ ୩ ଥର କୋଭିଡ୍ ପଜିଟିଭ୍ ହେଲେ ଡାକ୍ତର: ନେଇସାରିଥିଲେ ଭ୍ୟାକ୍ସିନର ଦୁଇ ଡୋଜ୍

ନୂଆଦିଲ୍ଲୀ: ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି । ଜଣେ ଡାକ୍ତର ୧୩ ମାସ ମଧ୍ୟରେ ୩ ଥର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୨୬ ବର୍ଷୀୟା ଡାକ୍ତର ପୂର୍ବରୁ କରୋନାର ୨ଟି ଯାକ ଡୋଜ୍ ନେଇସାରିଥିଲେ । ବିଏମସି ପକ୍ଷରୁ ମୁମ୍ବାଇରରେ ରହୁଥିବା ଏହି ଡାକ୍ତରଙ୍କ ସାମ୍ପୂଲ ସଂଗ୍ରହ କରି ଜିନୋମ ସିକ୍ୟୁନସିଂ କରିବାକୁ ପଠାଯାଇଥିବା ଜଣାପଡ଼ିଛି ।

ଏନେଇ ସଂକ୍ରମିତ ଡାକ୍ତର ସୃଷ୍ଟି ହଲାରି କହିଛନ୍ତି ଯେ, ଜଣେ ଡାକ୍ତର ହିସାବରେ ସେ ରୋଗୀଙ୍କୁ ସୁରକ୍ଷିତ ରହିବା ନେଇ ପରାମର୍ଶ ଦେଉଥିବା ବେଳେ ନିଜେ କୋଭିଡ୍ ପ୍ରୋଟୋକଲ ପାଳନ କରିପାରୁ ନାହାନ୍ତି । ୪୫ ଦିନ ପରେ ସେ ଦ୍ୱିତୀୟ ଥର ପାଇଁ କରୋନାରେ ସଂକ୍ରମିତ ହୋଇଥିଲେ । ଡା. ସୃଷ୍ଟିଙ୍କ ସହ ତାଙ୍କର ସାରା ପରିବାର କରୋନା କବଳରେ ରହିଥିଲା, ମାତ୍ର ଟିକା ପାଇଁ କାହାର କୌଣସି କ୍ଷତି ହୋଇନଥିଲା । ସେ ଗତ ମାର୍ଚ୍ଚ ମାସ ୮ ତାରିଖରେ ପ୍ରଥମ ଓ ପରେ ଏପ୍ରିଲ ମାସ ୨୯ ତାରିଖରେ ଦ୍ୱିତୀୟ ଡୋଜ୍ ନେଇଥିଲେ । ଗତ ୨୦୨୦ ଜୁନ୍ ୧୭ ତାରିଖରେ କୋଭିଡ୍ ସେଣ୍ଟରରେ କାର୍ଯ୍ୟ କରିବା ସମୟରେ ଡାକ୍ତର ତାଙ୍କର ସହକର୍ମୀଙ୍କ ସଂସ୍ପର୍ଶରେ ଆସି କୋଭିଡରେ ସଂକ୍ରମିତ ହୋଇଥିଲେ । ଚଳିତ ବର୍ଷ ମେ ୨୯ ତାରିଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଥିଲେ ମଧ୍ୟ ଟେଷ୍ଟ ପରେ ପଜିଟିଭ୍ ଆସିଥିଲା । ପରେ ଜୁଲାଇ ୧୧ ତାରିଖରେ ଡାକ୍ତରଙ୍କ ମାଆ କରୋନାରେ ସଂକ୍ରମିତ ହେବା ପରେ ସେ ନିଜେ ତୃତୀୟ ଥର ପାଇଁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପ୍ରଥମ ଥର ସଂକ୍ରମିତ ସମୟରେ ତାଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥିଲା । ମାତ୍ର ଦ୍ୱିତୀୟ ଓ ତୃତୀୟ ଥର ସଂକ୍ରମିତ ହେବା ପରେ ତାଙ୍କର ମୁଣ୍ଡବ୍ୟଥା, ଶରୀରରେ ଯନ୍ତ୍ରଣା, ଆଖି ସମସ୍ୟା ଦେଖାଦେଇଥିଲା । ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଠିକ୍ ଥିବା ଡାକ୍ତର ସୃଷ୍ଟି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, କୋଭିଡ୍ ଭ୍ୟାକ୍ସିନ ନେବା ପରେ ଯଦି ଆପଣ ପୁଣି କରୋନାରେ ସଂକ୍ରମିତ ହୁଅନ୍ତି, ତେବେ ତାହା କ୍ଷତି ପହଞ୍ଚାଇବା ନାହିଁ । ଭ୍ୟାକ୍ସିନ ଭାଇରସକୁ ଦୁର୍ବଳ କରିବାରେ ସହାୟକ ହୋଇଥାଏ, ମାତ୍ର ଶତ ପ୍ରତିଶତ ଗ୍ୟାରେଣ୍ଟି ଦେଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Get real time updates directly on you device, subscribe now.