fbpx

କି ଯୁଗ ହେଲା ଭାଇ! ଡ୍ରାଇଭର, ସିପାହି ପୋଷ୍ଟ ପାଇଁ ଆବେଦନ କରୁଛନ୍ତି ଡାକ୍ତରୀ, ଇଞ୍ଜିନିୟରିଂ, MBA, MCA ପ୍ରାର୍ଥୀ

ନୂଆଦିଲ୍ଲୀ: ସାଧାରଣ ଭାବେ ବଡ଼ ପୋଷ୍ଟରେ ଚାକିରି କଲେ ଅଧିକ ଦରମା, ମାନ ସମ୍ମାନ ମିଳିବା ସହିତ ସମାଜରେ ଅନେକ ଖ୍ୟାତି ରହିଥାଏ । ତେବେ ଏହିସବୁ ଭାବନା ଏବେ ବୋଧହୁଏ ଚୁଲିକୁ ଗଲାଣି । ଯଦି ଡାକ୍ତର, ଇଞ୍ଜିନିୟର ବାବୁମାନେ ଡ୍ରାଇଭର ପଦରେ ଚାକିରି ପାଇଁ ଆବେଦନ କରିବେ, ତେବେ ଦେଶର ଅବସ୍ଥା କ’ଣ ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

ଦେଶ ଯେତେ ଟେକ୍ନୋଲୋଜି, ଆଧୁନିକତା ଆଡ଼କୁ ଅଗ୍ରସର ହେଲେ ମଧ୍ୟ ସରକାରୀ ଚାକିରିର ପ୍ରାଧାନ୍ୟ ଆଜି ବି ବଳବତ୍ତର ରହିଛି । ଅନେକ ଯୁବକ ମୋଟା ଅଙ୍କର ଦରମା ପ୍ୟାକେଜ ଛାଡ଼ି ଆରାମଦାୟକ ସରକାରୀ ଚାକିରି କରୁଥିବା ଦେଖାଯାଉଛି । ତେବେ ଏ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସରକାରୀ ଚାକିରି ପ୍ରଲୋଭନରେ ପଡ଼ି ଅନେକ ପାଠୁଆ ପ୍ରାର୍ଥୀ ତଳିଆ ପଦରେ ଚାକିରି କରିବାକୁ ଆଗଭର ହେଉଥିବା ଦେଖାଯାଉଛି ।

ସୂଚନା ମୁତାବକ, ବର୍ତ୍ତମାନ ପୁଣେ ପୋଲିସରେ ଭର୍ତ୍ତି ପ୍ରକ୍ରିୟା ଚାଲିଛି । ମୋଟ ୭୨୦ଟି ପୋଷ୍ଟ ସିପାହୀଙ୍କ ପାଇଁ ଓ ୭୨ଟି ପୋଷ୍ଟ ଡ୍ରାଇଭରଙ୍କ ପାଇଁ ରହିଛି । ଏହାର ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇ ପାସ ରହିଥିବା ବେଳେ ଏଥିରେ ଆବେଦନ ନେଇ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି । ତେବେ ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ମୋଟ ୭୩,୨୪୨ ଜଣ ପ୍ରାର୍ଥୀ ଆବେଦନ କରିସାରିଲେଣି ।

ତେବେ ଏହି ନିଯୁକ୍ତି ପାଇଁ ୨୩୯୦ ଜଣ ଗ୍ରାଜୁଏଟ, ୮୪୮ ଜଣ ପୋଷ୍ଟ ଗ୍ରାଜୁଏଟ, ୮୫ ଜଣ ବି.ଫାର୍ମ, ୨୨୨ ଜଣ ବିବିଏ, ୫୧୫ ଜଣ ବିସିଏ, ୮୭୬ ଜଣ ବି.ଇ, ୧୭୧ ଜଣ ବି.ଟେକ, ୩୯୪ ଜଣ ବିସିଏସ, ୨୮୧ ଜଣ ଏମବିଏ, ୪୨ ଜଣ ଏମସିଏ, ୩୨ ଜଣ ଏମସିଏସ, ୯୮ ଜଣ ଏମଏସଡବ୍ଲ୍ୟୁ, ୩୬୮ ଜଣ ଏମ.ଏସସି. ଯୋଗ୍ୟତାଧାରୀ ପ୍ରାର୍ଥୀ ଆବେଦନ କରିଛନ୍ତି । କିଛି ପ୍ରାର୍ଥୀ ହୋମିଓପ୍ରାଥି ଓ ଆୟୁର୍ବେଦ ପରି ମେଡିକାଲ ଡିଗ୍ରୀ ହାସଲ କରିସାରିଥିବା ବେଳେ ସେମାନେ ମଧ୍ୟ ଡ୍ରାଇଭର, ସିପାହି ପଦ ପାଇଁ ଆବେଦନ କରିଛନ୍ତି ।

Get real time updates directly on you device, subscribe now.