ଖରାଦିନେ ଶୀଘ୍ର ଖରାପ ହୋଇଯାଉଛି କି ଖାଦ୍ୟ ? ବିନା ଫ୍ରିଜରେ ବି ଖାଦ୍ୟ ରହିପାରିବ ସତେଜ, ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଖରା ଦିନେ ରନ୍ଧା ଖାଦ୍ୟକୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ଏକ ପ୍ରକାର ଚ୍ୟାଲେଞ୍ଜ ଅଟେ । ଏହି ଦିନ ଖାଦ୍ୟରେ ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍ ଶୀଘ୍ର ବୃଦ୍ଧି ପାଇବା କାରଣରୁ ଖାଦ୍ୟ ଶୀଘ୍ର ନଷ୍ଟ ହୋଇଥାଏ । ଯେଉଁ ଲୋକଙ୍କ ଘରେ ଫ୍ରିଜ୍ ଅଛି ସେମାନଙ୍କୁ ବିଶେଷ କିଛି ଅସୁବିଧା ହେଇନଥାଏ କିନ୍ତୁ ଫ୍ରିଜ୍ ନଥିଲେ ଅନେକ ସମସ୍ୟା ହୋଇଥାଏ । ଖରାଦିନେ ଲୋକଙ୍କ ଅଣଦେଖା କାରଣରୁ ମଧ୍ୟ ଖାଦ୍ୟ ନଷ୍ଟ ହୋଇଥାଏ । ତେବେ ବିନା ଫ୍ରିଜରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଦ୍ୟ ସତେଜ ରଖିବା ପାଇଁ ଏହି ଟିପ୍ସ ଆପଣାଇ ପାରିବେ ।

୧. କମ୍ ମସଲା ବ୍ୟବହାର କରନ୍ତୁ: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଖରା ଦିନେ ଖାଦ୍ୟେ କମ୍ ସମଲା ବ୍ୟବହାର କରିବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷିତ ରହିଥାଏ । ସ୍ୱାଦ ଅନୁଯାୟୀ ଅଳ୍ପ ପରିମାଣରେ ମସଲା ବ୍ୟବହାର କରିପାରିବେ । ଯେତେଦୂର ସମ୍ଭବ ଗରମ ମସଲାର ବ୍ୟବହାର କମ୍ କରନ୍ତୁ ।

୨. ବାରମ୍ବାର ଖାଦ୍ୟକୁ ଗରମ କରନ୍ତୁ ନାହିଁ: ଅଧିକାଂଶ ଲୋକଙ୍କୁ ଗରମ ଖାଦ୍ୟ ଖାଇବା ପସନ୍ଦ ଥାଏ । ପ୍ରତିଥର ଖାଦ୍ୟ ଗରମ କରି ଖାଇବା ଦ୍ୱାରା ଖାଦ୍ୟର ଶୀଘ୍ର ନଷ୍ଟ ହୁଏ । ଖାଦ୍ୟରେ ଥିବା ଆବଶ୍ୟକୀୟ ପୋଷକ ତତ୍ୱ ନଷ୍ଟ ହେବା ସହ ସ୍ୱାଦରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ ।

୩. ସତେଜ୍ ପନିପରିବା ବ୍ୟବହାର କରିବା: ସତେଜ୍ ପନିପରିବା ବ୍ୟବହାର କରିବା ଦ୍ୱାରା ଖାଦ୍ୟ ଶୀଘ୍ର ନଷ୍ଟ ହୋଇନଥାଏ । ଆପଣଙ୍କ ଘରେ ଫ୍ରିଜ୍ ନଥିଲେ ଅଳ୍ପ ପରିମାଣରେ ପନିପରିବା ଆଣନ୍ତୁ । ଅଧିକ ପନିପରିବା ଆଣିଲେ ଖରାରେ ଶୀଘ୍ର ଶୁଖିଯିବା ସହ ନଷ୍ଟ ହୋଇଥାଏ ।

୪. ପୁରୁଣା ଖାଦ୍ୟକୁ ନୂଆ ସହ ମିଶାନ୍ତୁ ନାହିଁ: ଅଧିକାଂଶ ସମୟରେ ଲୋକମାନେ ବଳକା ଖାଦ୍ୟକୁ ସତେଜ୍ ରୋଷେଇ ହୋଇଥିବା ଭୋଜନ ସହ ମିଶାଇ ଦିଅନ୍ତି । ଏହା ଦ୍ୱାରା ଖାଦ୍ୟ ଶୀଘ୍ର ନଷ୍ଟ ହୋଇଥାଏ । ଏହା ଫୁଡ୍ ପଏଜନିଂ ଆଶଙ୍କାକୁ ବୃଦ୍ଧି କରିଥାଏ ।

୫. ପାଣି ଥିବା ପାତ୍ରରେ ଖାଦ୍ୟ ରଖନ୍ତୁ: ବଳକା ଖାଦ୍ୟକୁ ପାଣିରେ ରଖିବା ଦ୍ୱାରା ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ । ଏଥିପାଇଁ ଗୋଟିଏ ବଡ଼ ପାତ୍ରରେ କିଛି ପାଣି ନିଅନ୍ତୁ ଏହା ପରେ ବନ୍ଦ ଥିବା ଖାଦ୍ୟ ପାତ୍ରକୁ ରଖିଦିଅନ୍ତୁ ।