fbpx

ଫ୍ରୀ କୁପନ୍ କିମ୍ବା ଲଟେରୀ ମାୟାରେ ପଡନ୍ତୁ ନାହିଁ- ଡିଜିପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : କରୋନା କାଳରେ ଲୋକ ମାନେ ଅନଲାଇନ ସେବା ଉପରେ ଅଧିକ ନିର୍ଭର କରୁଥିବା ବେଳେ ସାଇବର୍ କ୍ରିମିନାଲ୍ ମାନେ ଏବେ ଏହାର ଫାଇଦା ଉଠାଉଛନ୍ତି । ଏନେଇ ଆଜି ଲୋକ ମାନଙ୍କୁ ସଚେତନ କରିଛନ୍ତି ଡିଜିପି । ସାଇବର୍ କ୍ରିମିନାଲ୍ ଙ୍କ ପ୍ରତି ସାବଧାନ ରହିବାକୁ ସତର୍କ କରାଇଛନ୍ତି ଡିଜିପି ଅଭୟ । ବିଶେଷ କରି ଟିକା, ଅକ୍ସିଜେନ୍, ଔଷଧ, ଟେଲିମେଡିସିନ୍ରେ ଠକେଇ ହେଉଥିବା ଖବର ଏବେ ଅଧିକ ଆସୁଛି । ଟିକା ପାଇଁ ଲୋକମାନେ ଅନଲାଇନ୍ ସ୍ଲଟ୍ ବୁକ୍ କରୁଥିବାରୁ ସେମାନଙ୍କୁ ମେସେଜ୍ ଜରିଆରେ ଟିକା ପାଇଁ ସ୍ଲଟ୍ ବୁକିଂ କରିବାକୁ କହୁଛନ୍ତି । ସେହିପରି ହୋମ୍ ଆଇସୋଲେସନ୍ ରେ ଥିବା କୋଭିଡ୍ ଆକ୍ରାନ୍ତ ମାନେ ଅକ୍ସିଜେନ୍ ପାଇଁ ଅନଲାଇନ୍ ଉପରେ ନିର୍ଭରଶୀଳ ହେଉଥିବା ବେଳେ ସେମାନଙ୍କ ଅସହାୟତାର ଫାଇଦା ଉଠାଉଥିବା ଭଳି ଖବର ସାମନାକୁ ଆସୁଛି । ତେଣୁ ଏହିସବୁ ଥିରୁ ଲୋକମାନଙ୍କୁ ସାବଧାନ ରହିବାକୁ କହିଛନ୍ତି ଡିଜିପି ।

ଯେଉଁଠି ଅକ୍ସିଜେନ୍ ପାଇଁ ଆଗୁଆ ଟଙ୍କା ପଇଠ କରିବାକୁ କୁହାଯାଉଛି ତାକୁ ଭଲ ଭାବରେ ଚେକ୍ କରନ୍ତୁ । ସେହିପରି ଟେଲି ମେଡିସିନ୍ ପାଇଁ ଆଗୁଆ ପଇସା ମଗାଯାଉଛି, ସେଠାରେ ସତର୍କ ରହିବେ । ଅନଲାଇନ୍ ରେ ଖାଦ୍ୟ ପଦାର୍ଥ ଦେବାକୁ କହି ବି ଠକେଇ ହେଉଛି । ନିଜ ବ୍ୟକ୍ତିଗତ ତଥ୍ୟ କୌଣସି ସାଇଟ୍ କିମ୍ବା ଅଜଣା ଲିଙ୍କ୍ ରେ ଦେବା ପୂର୍ବରୁ ସତର୍କ ରୁହନ୍ତୁ । ଯେଉଁଠାରେ କିଛି ମାଗଣା ଦେବା ନେଇ ଅଫର୍ ରହିଛି, ସେଥିରେ ପ୍ରଲୋଭିତ ନ ହୋଇ ଉଚିତ୍ ପଦକ୍ଷେପ ଆପଣାନ୍ତୁ । ଥରେ ଚିନ୍ତା କରନ୍ତୁ କିଏ କାହିଁକି ଆପଣଙ୍କୁ ମାଗଣାରେ କିଛି ଦେବ । ତେଣୁ କିଛି ଅଫର୍ ମାୟାରେ ଭାସି ନଯାଇ ଯେତେ ପାରିବେ ସେସବୁରୁ ଦୂରେଇ ରୁହନ୍ତୁ ବୋଲି ଡିଜିପି ଲୋକ ମାନଙ୍କୁ ସଚେତନ କରିଛନ୍ତି ।

ସେହିପରି ବିଭିନ୍ନ ସାଇଟ୍ରେ ଫେକ୍ କୋଭିଡ ସର୍ଭେ କରାଯାଉଛି । ଏଥିରେ ଆପଣଙ୍କ ବିଭିନ୍ନ ତଥ୍ୟକୁ ସେମାନେ ନେଇଯାଉଛନ୍ତି । ବ୍ୟକ୍ତିଗତ, ମେଡିକାଲ ଓ ଆର୍ଥିକ ସମ୍ପର୍କିତ ତଥ୍ୟକୁ ସେୟାର କରନ୍ତୁ ନାହିଁ । କୌଣସି ଆପ୍କୁ ଡାଉନ୍ଲୋଡ କରିବା ପୂର୍ବରୁ ଚେକ୍ କରନ୍ତୁ । କୌଣସି କୁପନ୍ କିମ୍ବା ଲଟେରୀ ପାଇବା ପାଇଁ ଆସୁଥିବା ମେଲ୍ କିମ୍ବା ମେସେଜ୍ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଡିଜିପି ଦର୍ଶାଇଛନ୍ତି ।

Get real time updates directly on you device, subscribe now.