ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ଭ୍ରମଣ ପ୍ରିୟ । ପ୍ରାୟତଃ ଗ୍ରୀଷ୍ମ, ଦୁର୍ଗାପୂଜା ଓ କ୍ରିସମାସ୍ ଛୁଟି ଓ ନୂଆ ବର୍ଷ ସମୟରେ ଲୋକମାନେ ପରିବାର, ସାଙ୍ଗସାଥିଙ୍କ ସହ ବିଭିନ୍ନ ସ୍ଥାନ ଭ୍ରମଣ କରିଥାନ୍ତି । ବୃତ୍ତିଗତ ଜୀବନରୁ କିଛି ସମୟର ବ୍ରେକ୍ ନେଇ ମଉଜ ମଜଲିସ କରିଥାନ୍ତି । କେଉଁଠି ଯିବା ପୂର୍ବରୁ ପ୍ରଥମେ ରହିବା ପାଇଁ ହୋଟେଲ ବୁକିଂ କରିଥାନ୍ତି । ବିଶେଷ କରି ଅନଲାଇନ୍ ହୋଟେଲ ବୁକିଂ ସମୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ ହୋଇଥାଏ । ଦିନକୁ ଦିନ ଅନଲାଇନ୍ ସ୍କାମ୍ ମାମଲା ବୃଦ୍ଧି ପାଉଥିବା ବେଳେ ଏହା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପିକ୍ ସମୟରେ ସ୍କାମରମାନେ ହୋଟେଲ ବୁକ୍ କରୁଥିବା ବ୍ୟକ୍ତିଙ୍କୁ ନିଜ ଜାଲରେ ଫସାଇବା ପାଇଁ ବିଭିନ୍ନ ପନ୍ଥା ଆପଣାଇଥାନ୍ତି ।
୧. ମିଥ୍ୟା ଅଫର ଠାରୁ ଦୂରେଇ ରୁହନ୍ତୁ: ଅନେକ ସମୟରେ ମିଥ୍ୟା ପ୍ରଲୋଭନ ଦ୍ୱାରା ଗ୍ରାହକଙ୍କୁ ଆକୃଷ୍ଟ କରି ଠକିଥାନ୍ତି । ଇ- ମେଲ୍, ସୋସିଆଲ ମିଡିଆ, ହ୍ୱାଟ୍ସଆପ୍ କିମ୍ବା ମେସେଜ ଦ୍ୱାରା ରିଆତି ଅଫର ବିଷୟରେ ସୂଚନା ଦେଇଥାନ୍ତି ।
୨. ବିଶ୍ୱସନୀୟ ୱେବସାଇଟ୍ ବ୍ୟବହାର କରନ୍ତୁ: ଅନଲାଇନ୍ ହୋଟେଲ ବୁକ୍ କରିବା ପାଇଁ ସବୁବେଳେ ବିଶ୍ୱସନୀୟ ୱେବସାଇଟ୍ ଏବଂ ଆପ୍ ବ୍ୟବହାର କରନ୍ତୁ । ଏମିତି ଅନେକ ଫେକ୍ ସାଇଟ୍ ଓ ଆପ୍ ରହିଛି ଯାହା ଆପଣଙ୍କ ବ୍ୟକ୍ତିଗତ ଡାଟା ଚୋରି କରିପାରେ ।
୩. କ୍ୟାଶବ୍ୟାକ୍ ଏବଂ ଅଜଣା ଲିଙ୍କ ପ୍ରତି ସାବଧାନ: ଅନେକାଂଶରେ ଇମେଲ କିମ୍ବା ମେସେଜ ମାଧ୍ୟମରେ କ୍ୟାଶବ୍ୟାକ୍ କୁପନ୍ ମିଳିଥିବା କୁହାଯାଏ । ଏଥିରେ ଏକ କୋଡ୍ କିମ୍ବା ଆପକୁ ଇନଷ୍ଟଲ କରିବା ଲିଙ୍କ ଦିଆଯାଏ । ଏଭଳି ଅଜଣା ଲିଙ୍କ ବ୍ୟକ୍ତିଙ୍କୁ ବିଭିନ୍ନ ହୋଟେଲ ବୁକିଂରେ ମନଲୋଭା ରିଆତି ବିଷୟରେ ସୂଚାଇଥାଏ । କିନ୍ତୁ ବେଳେ ବେଳେ ବ୍ୟକ୍ତିଙ୍କୁ ଏଥିରେ ଘାଟା ହୋଇଥାଏ ।
୪. ମାସ୍କଡ୍ ଆଧାର ବ୍ୟବହାର: ଅଧିକାଂଶ ହୋଟେଲରେ ଚେକ୍ ଇନ୍ କରିବା ସମୟରେ ପରିଚୟ ପତ୍ର ପ୍ରଦାନ କରିବାକୁ ପଡ଼ିଥାଏ । ଆପଣ ଅରିଜିନାଲ ଆଧାର କାର୍ଡ଼ ପ୍ରଦାନ କଲେ ଏହାର ଅପବ୍ୟବହାର ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । କୌଣସି ପ୍ରକାର ଠକାମୀ ଠାରୁ ଦୂରେଇ ରହିବା ପାଇଁ ଆପଣ ମାସ୍କଡ ଆଧାର କାର୍ଡ଼ ବ୍ୟବହାର କରିପାରିବେ କାରଣ ଏହା ମଧ୍ୟ ବୈଧ ଅଟେ ।