fbpx

ନକଲି କରୋନା ଔଷଧ କାରବାରର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ, ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ଗଲେ ୩ ଅଭିଯୁକ୍ତ

କଟକ (ଓଡ଼ିଶା ଭାସ୍କର): ନକଲି କରୋନା ଔଷଧ କାରବାର ମାମଲାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମେଡିଲ୍‌ଏଡ୍‌ ମେଡିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡର ନିର୍ଦ୍ଦେଶକ ଓ ଏହି କମ୍ପାନୀର ୨ ସଦସ୍ୟ ରହିଛନ୍ତି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପରେ ସେମାନଙ୍କ ଜାମିନ୍‌ ନାମଂଜୁର ହେବାରୁ ୩ ଜଣଙ୍କୁ ଜେଲ୍‌ ଯିବାକୁ ପଡିଛି । ଏଥିସହ ଅଭିଯୁକ୍ତ ଓ କମ୍ପାନୀର ବ୍ୟାଙ୍କ ଆକାଉଂଟରେ ଥିବା ୫୦ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି । କ୍ରାଇମବ୍ରାଂଚ ଏଡିଜି ଯଶୋବନ୍ତ ଜେଠୱା ଏହି ସୂଚନା ଦେଇଛନ୍ତି ।

ଏଡିଜି ଜେଠୱା କହିଛନ୍ତି ଯେ ଜବତ ହୋଇଥିବା ମେଡିସିନ୍‌ ର ଗୋଟିଏ ଷ୍ଟ୍ରିପ୍ର ଦାମ ୬୫ ଟଙ୍କା ଥିବା ବେଳେ ଏହାକୁ ୧୨୯୦ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରାଯାଉଥିବା ତଦନ୍ତରୁ ଜଣାପଡିଛି । ଏହି ଘଟଣାରେ ଲିଙ୍କ ନେଇ ଏସ୍‌ଟିଏଫ୍‌ ର ୩ଟି ଟିମ୍‌ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଚଢଉ ଜାରି ରଖିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବ ଜେନା ଏବେ ମଧ୍ୟ ଫେରାର ଅଛି । ଗତ କିଛି ଦିନ ତଳେ କଟକ କନିକା ଛକରୁ ନକଲି କରୋନା ମେଡିସିନ୍‌ ଜବତ ହୋଇଥିଲା । ଡ୍ରଗ୍ସ କେଂଟ୍ରାଲ ସ୍କ୍ୱାଡ୍‌ର ଚଢଉ ବେଳେ ରାଜ୍ୟର ଆଉ କେତେକ ସ୍ଥାନରୁ ମଧ୍ୟ ନକଲି ଔଷଧ ମିଳିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.