ନୂଆଦିଲ୍ଲୀ: କଣ ଆପଣ ଜାଣନ୍ତି ଦେଶରେ କେତୋଟି ରାଜନୈତିକ ପାର୍ଟି ଅଛି। ଆପଣ ଭାବୁଥିବେ ଅତି ବେଶୀ ହେଲେ ୨୦ରୁ ଅଧିକ ରାଜନୈତିକ ଦଳ ଥିବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ ସଂପ୍ରତି ୨୮୦୦ ପଞ୍ଜୀକୃତ ରାଜନୈତିକ ଦଳ ଅଛନ୍ତି। ସେଥିରୁ ନିର୍ବାଚନ ଆୟୋଗ ୨,୧୭୪ ପଞ୍ଜୀକୃତ ଅଣ ମାନ୍ୟତାପ୍ରାପ୍ତ ଦଳଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି। ଆୟୋଗ ଏହି ଦଳଗୁଡିକର ତଦନ୍ତ ପାଇଁ ସିବିଡିଟିକୁ ଅନୁରୋଧ କରିଛନ୍ତି।
ନିଜର ଦାନଦାତାଙ୍କ ତାଲିକା ଜମା ନକରିବାରୁ ଆୟୋଗ ବର୍ତ୍ତମାନ ଏହି ସବୁ ରାଜନୈତିକ ପାର୍ଟିଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। ଆୟୋଗଙ୍କ ମୁତାବକ ୨୧୭୪ ପଞ୍ଜୀକୃତ ଅଣମାନ୍ୟତାପ୍ରାପ୍ତ ଦଳଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜସ୍ଵ ବିଭାଗକୁ ତଲବ କରାଯାଇଛି। ଆଉ ଏହି କାର୍ଯ୍ୟାନୁଷ୍ଠାନ ସେହି ସମୟରେ ନିଆଯାଉଛି ଯେତେବେଳେ ଦଳଗୁଡିକୁ ପାଖାପାଖି ୧୦୦୦ କୋଟି ଟଙ୍କାର ଚାନ୍ଦା ମିଳିଥିବା ମାମଲା ସାମ୍ନାକୁ ଆସିଥିଲା।
ଆୟୋଗ ଜନପ୍ରତିନିଧିତ୍ଵ ଆଇନ, ୧୯୫୧ର ଧାରା ୨୯ଏ ଏବଂ ସି ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି। ଧାରା ୨୯ ସି ଆଧାରରେ ଅଣମାନ୍ୟତାପ୍ରାପ୍ତ ପାର୍ଟି ଗୁଡିକୁ ମିଳୁଥିବା ଚାନ୍ଦାର ତଥ୍ୟ ଦେବାକୁ ପଡିଥାଏ। ଏହି ଚାନ୍ଦା ଉପରେ ଆୟକରରେ ୧୦୦ ପ୍ରତିଶତ ରିହାତି ମିଳିଥାଏ। ରିହାତି ସମୟରେ ମିଳିଥାଏ ଯେତେବେଳେ ପାର୍ଟିଗୁଡିକ ଚାନ୍ଦା କେଉଁ ସୂତ୍ରରୁ ମିଳୁଛି ତାର ସବିଶେଷ ତଥ୍ୟ ଆୟୋଗଙ୍କୁ ଦେଇଥାନ୍ତି। ଯଦି ୩୦ ଦିନ ଭିତରେ ଏହି ସବୁ ଦଳଗୁଡିକ ଆୟୋଗଙ୍କୁ ତଥ୍ୟ ନଦିଅନ୍ତି ତେବେ ଭବିଷ୍ୟତ ନିର୍ବାଚନ ପାଇଁ ସେମାନଙ୍କୁ ଚିହ୍ନ ଦିଆଯିବ ନାହିଁ।
ଏହା ପୂର୍ବରୁ ନିର୍ବାଚନ ଆୟୋଗ ୧୯୮ ଅଣ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଡିଲିଷ୍ଟ କରି ସାରିଛନ୍ତି। ଡିଲିଷ୍ଟ ହେଉଛି ସେହି ଦଳ, ଯେଉଁ ଦଳର ତୃଣମୂଳ ସ୍ତରରେ ଉପସ୍ଥିତି ନାହିଁ ଏବଂ ଥରେ ପଞ୍ଜୀକୃତ ହେବା ପରେ ଗାଏବ ହୋଇ ଯାଆନ୍ତି। ଏହାବାଦ୍, ଏମିତି ୧୧୧ ଦଳ ରହିଛନ୍ତି, ଯାହାଙ୍କ ଅସ୍ଥିତ୍ଵ ହିଁ ନାହିଁ।
ଅନେକ ଦଳ ନିର୍ବାଚନ ଲଢି ନାହାନ୍ତି:ଆୟୋଗ ଏହି ସବୁ ଦଳଗୁଡିକୁ ପ୍ରଶ୍ନ କରିଥିଲେ ଯେ, ଏ ପର୍ଯ୍ୟନ୍ତ କାହିଁକି ନିର୍ବାଚନ ଲଢି ନାହାନ୍ତି। ମାତ୍ର ଦଳଗୁଡିକ କୌଣସି ଉତ୍ତର ଦେଇନଥିଲେ। ସଂପ୍ରତି ଆୟୋଗ ନିକଟରେ ପ୍ରାୟ ୨୮୦୦ ଦଳ ପଞ୍ଜୀକୃତ। ଏଥିରୁ ମାତ୍ର ୬୦ ଦଳ ମାନ୍ୟତାପ୍ରାପ୍ତ ଏବଂ ନିୟମିତ ନିର୍ବାଚନ ଲଢନ୍ତି। ଏଥିରୁ ଛଅ ଦଳ ବିଜେପି, କଂଗ୍ରେସ, ଏନସିପି, ଟିଏମସି, ବିଏସପି ଏବଂ ସିପିଏମ ଜାତୀୟ ଦଳ ମାନ୍ୟତା ହାସଲ କରିଛି। ୨୦୧୯ ଲୋକସଭା ନିର୍ବାଚନରେ ୬୨୩ ଦଳ ନିର୍ବାଚନ ଲଢିଥିଲେ।
ରାଜନୈତିକ ଦଳଗୁଡିକର ପଞ୍ଜୀକରଣ ଗତ ଦୁଇ ଦଶନ୍ଧିରେ ୩୦୦ ପ୍ରତିଶତରୁ ଅଧିକ ହାରରେ ବଢିଛି। ୨୦୨୧ରେ ୬୯୪ ରାଜନୈତିକ ଦଳ ଥିଲେ, ଯାହାଙ୍କ ସଂଖ୍ୟା ବଢି ଏବେ ପ୍ରାୟ ୨୮୦୦ରେ ପହଞ୍ଚିଛି।