fbpx

ଗତିଶୀଳ ହେଲା ଦେଶର ଅର୍ଥନୀତି, ସେପ୍ଟେମ୍ବର ତ୍ରୈମାସିକରେ ଜିଡିପି ୮.୪ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : କରୋନା ମହାମାରୀ ଏବଂ ଲକ୍ଡାଉନ୍ କାରଣରୁ ଧରାଶାୟୀ ହୋଇଥିବା ଦେଶର ଅର୍ଥନୀତି ଗତିଶୀଳ ହେବାରେ ଲାଗିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଜୁଲାଇ-ସେପ୍ଟେମ୍ବରରେ ସକଳ ଘରୋଇ ଉତ୍ପାଦ(ଜିଡିପି)ରେ ୮.୪ ପ୍ରତିଶତ ବୃଦ୍ଧି ଘଟିଛି। ଗତ ବର୍ଷର ସମାନ ଅବଧିରେ ବିକାଶ ହାର ବିଯୁକ୍ତ ୭.୪ ପ୍ରତିଶତ ରହିଥିଲା। ଅନ୍ୟପଟେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଅର୍ଥାତ ଏପ୍ରିଲରୁ ଜୁନ ମଧ୍ୟରେ ଜିଡିପି ଅଭିବୃଦ୍ଧି ହାର ୨୦.୧ ପ୍ରତିଶତ ରହିଥିଲା। କରୋନାର ପ୍ରଥମ ଲହର କାରଣରୁ ଜିଡିପି ବିଯୁକ୍ତାତ୍ମକରେ ରହିଥିଲା। ସେପ୍ଟେମ୍ବର ତ୍ରୈମାସିକରେ ଏହି ଅଭିବୃଦ୍ଧି ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଦେଶ କରୋନାର ଦ୍ଵିତୀୟ ଲହରରୁ ଏବେ ଏବେ ବାହାରିଛି। କରୋନା ଯୋଗୁଁ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଲକ୍ଡାଉନ୍ ସମେତ ଅନେକ କଟକଣା ଲଗାଯାଇଥିଲା। ଫଳରେ ଶିଳ୍ପ ସହିତ ସମସ୍ତ ବାଣିଜ୍ୟିକ ଗତିବିଧି ଠପ୍ ପଡିଥିଲା।

ରାଜକୋଷୀୟ ଘାଟାର ଅବସ୍ଥା
କେନ୍ଦ୍ର ସରକାରଙ୍କ ରାଜକୋଷୀୟ ଘାଟାର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ରାଜକୋଷୀୟ ଘାଟା ଅକ୍ଟୋବରର ଶେଷ ଆଡକୁ ଆର୍ଥିକ ବର୍ଷ ୨୦୨୧-୨୨ର ବାର୍ଷିକ ବଜେଟ୍ର ୩୬.୩ ପ୍ରତିଶତ ରହିଛି। ମୁଖ୍ୟତଃ ରେକର୍ଡ ରାଜସ୍ଵ ସଂଗ୍ରହ କାରଣରୁ ରାଜକୋଷୀୟ ଘାଟା ହ୍ରାସ ପାଇଛି।

କୋର ଇଣ୍ଡଷ୍ଟ୍ରୀଜର ଅବସ୍ଥା
କୋଇଲା, ପ୍ରାକୃତିକ ଗ୍ୟାସ୍, ରିଫାଇନାରୀ ଉତ୍ପାଦ ଏବଂ ସିମେଣ୍ଟ କ୍ଷେତ୍ରରେ ଭଲ ପ୍ରଦର୍ଶନ କାରଣରୁ କୋର ଇଣ୍ଡଷ୍ଟ୍ରୀଜର ଉତ୍ପାଦନ ଅକ୍ଟୋବରରେ ୭.୫ ପ୍ରତିଶତ ବଢିଛି। ୨୦୨୦ରେ ଆଠ କୋର ଇଣ୍ଡଷ୍ଟ୍ରୀଜ- କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍, ରିଫାଇନାରୀ ଉତ୍ପାଦ, ଉର୍ବରକ, ଇସ୍ପାତ, ସିମେଣ୍ଟ ଏବଂ ବିଜୁଳି କ୍ଷେତ୍ରର ଉତ୍ପାଦନରେ ୦.୫ ପ୍ରତିଶତ ହ୍ରାସ ଘଟିଥିଲା। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ତଥ୍ୟରୁ ଏହା ଜଣା ପଡିଛି ଯେ, ଚଳିତ ବର୍ଷ ସେପ୍ଟେମ୍ବରରେ ଆଠ ମୌଳିକ ଉଦ୍ୟୋଗର ବୃଦ୍ଧିହାର ୪.୫ ପ୍ରତିଶତ ରହିଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ସାତ ମାସ ଏପ୍ରିଲ-ଅକ୍ଟୋବରରେ ମୌଳିକ ଉଦ୍ୟୋଗର ଉତ୍ପାଦନ ୧୫.୧ ପ୍ରତିଶତ ବଢିଛି। ଗତ ଆର୍ଥିକ ବର୍ଷର ସମାନ ଅବଧିରେ ମୌଳିକ ଉଦ୍ୟୋଗର ଉତ୍ପାଦନ ୧୨.୬ ପ୍ରତିଶତ ହ୍ରାସ ଘଟିଥିଲା।

Get real time updates directly on you device, subscribe now.