ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ପାଉନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଏନେଇ ଏୟାରପୋର୍ଟକୁ ଆଲର୍ଟ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିଏମଡବ୍ଲ୍ୟୁ କାର ଜବତ କରିଛି ଇଡି । ସୋମବାର ଦିଲ୍ଲୀ ଏବଂ ଝାଡ଼ଖଣ୍ଡ ସ୍ଥିତ ତାଙ୍କ ବାସଭବନରେ ଇଡି ପକ୍ଷରୁ ରେଡ୍ କରାଯାଇଥିଲା । ଯାଞ୍ଚ ଏଜେନ୍ସି ତାଙ୍କ ସହ କୌଣସି ଯୋଗାଯୋଗ କରିପାରୁନାହିଁ । ହେମନ୍ତ ସୋରେନ୍ ଏବଂ ତାଙ୍କ ସୁରକ୍ଷାକର୍ମୀଙ୍କ ଫୋନ୍ ସ୍ୱିଚ୍ ଅଫ୍ ଆସୁଛି । କହିରଖୁଛୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଜମି ଠକେଇ ମାମଲାର ଅଭିଯୋଗ ହୋଇଥିଲା ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଜାନୁଆରୀ ୨୭ ତାରିଖରେ ରାଞ୍ଚିରୁ ରାଜଧାନୀ ଦିଲ୍ଲୀ ଆସିଥିଲେ । ଗତ ସପ୍ତାହରେ ସୋରେନଙ୍କୁ ନୂଆ ସମନ୍ ଜାରି କରି ଜାନୁଆରୀ ୨୯ କିମ୍ବା ଜାନୁଆରୀ ୩୧ ରେ ପଚରାଉଚରା ପାଇଁ ତାଙ୍କୁ ହାଜର ହେବାକୁ କହିଥିଲା । ସୋରେନ ଇଡିକୁ ଚିଠି ଲେଖିଥିଲେ ମଧ୍ୟ ପଚରାଉଚରା ପାଇଁ ତାରିଖ ଓ ସମୟ ଠିକ୍ କରିନଥିଲେ । ଏବେ ସୋରେନ୍ ୩୧ ତାରିଖରେ ହାଜର ହୋଇ ଇଡି ଆଗରେ ପକ୍ଷ ରଖିବେ ବୋଲି ସୂଚନା ରହିଛି । ସୋମବାର ଇଡି ଅଧିକାରୀମାନେ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇଥିଲେ କିନ୍ତୁ ତାଙ୍କୁ ନପାଇ ନିରାଶ ହୋଇ ଫେରିଥିଲେ । ଏହା ପରେ ଆଉ ଏକ ଟିମ୍ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ କିନ୍ତୁ ସେଠାରେ ମଧ୍ୟ ପାଇନଥିଲେ । ଇଡି ପକ୍ଷରୁ କୁହାଯାଉଛି ଯେ ସୋରେନ୍ ନିଖୋଜ ଅଛନ୍ତି । ତେବେ ଏହି ଚଢ଼ାଉ ନେଇ ଉତ୍ତେଜନା ବଢ଼ୁଥିବାରୁ ରାଞ୍ଚିରେ ରାଜଭବନ, ମୁ୍ଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।