fbpx

ଆହୁରି ଶସ୍ତା ହେବ ଖାଇବା ତେଲ ! MRP କମାଇବାକୁ କହିଲେ ସରକାର

Advertisement

ନୂଆଦିଲ୍ଲୀ : ରୋଷେଇ ଘରର ମହଙ୍ଗା ମାଡ଼ରୁ ମିଳିବ ସାମାନ୍ୟ ଆଶ୍ବସ୍ତି । ଖାଇବା ତେଲ ଆହୁରି ଶସ୍ତା ହେବ। ଆନ୍ତର୍ଜାତିକ ବଜାରରେ ଦାମ୍ କମୁଥିବାରୁ ଦେଶରେ ଭିତରେ ବିକ୍ରି ହେଉଥିବା ତେଲର MRP କମ୍ କରିବା ଲାଗି ସରକାର ତେଲ କଂପାନିଗୁଡ଼ିକୁ କହିଛନ୍ତି। ରୋଷେଇରେ ବ୍ୟବହାର ହେଉଥିବା ତେଲ ମୂଲ୍ୟରେ ୬ ପ୍ରତିଶତ ହ୍ରାସ ହେବ ବୋଲି ଜଣାପଡ଼ିଛି।

ଫର୍ଚୁନ୍ ବ୍ରାଣ୍ଡ୍‌ ନାମରେ ଖାଇବା ତେଲ ବିକ୍ରି କରୁଥିବା ଆଦାନି ୱିଲ୍‌ମାର୍‌ ଓ ଫ୍ରିଡମ୍‌ ବ୍ରାଣ୍ଡ୍‌ରେ ତେଲ ବିକ୍ରି କରୁଥିବା ଜେମିନି ଏଡିବଲ୍ ଆଣ୍ଡ୍‌ ଫ୍ୟାଟ୍‌ସ ଇଣ୍ଡିଆ ପକ୍ଷରୁ ଖାଇବା ତେଲର ଲିଟର ପିଛା ଦାମ୍‌ରେ ୫ ଟଙ୍କା ଭଳି ହ୍ରାସ କରାଯିବ।

ଖାଇବା ତେଲ ଦାମ୍ କମ୍ କରିବା ଲାଗି ସଦସ୍ୟମାନଙ୍କୁ କହିବାକୁ ନିକଟରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ସୋଲ୍‌ଭେଣ୍ଟ୍‌ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ (ଏସ୍‌ଇଏ)କୁ କୁହାଯାଇଥିଲା। ତେଲ ଦର ହ୍ରାସର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଲାଗି ପଦକ୍ଷେପ ନେବାକୁ ବିଭାଗ କହିଥିଲା। ସଂଘ ପକ୍ଷରୁ ସଦସ୍ୟମାନଙ୍କୁ କୁହାଯାଇଛି ଯେ ଅତୀତରେ ପ୍ୟାକେଟ୍‌ରେ ବିକ୍ରି ହେଉଥିବା ତେଲର ଏମ୍‌ଆର୍‌ପି କମିଥିଲା। କିନ୍ତୁ ଏବେ ଯେଉଁ ଦାମ୍ ରହିଛି ତାହା ଆନ୍ତର୍ଜାତିକ ବଜାର ଦର ଅନୁସାରେ ଠିକ୍ ନାହିଁ। ଏହା ସାମାନ୍ୟ ଅଧିକ ରହିଛି। ଗତ ତିନି ମାସରେ ଏମ୍‌ଆର୍‌ପିରେ କେଉଁ କଂପାନି କେତେ ହ୍ରାସ କରିଛନ୍ତି ତାହା ଜଣାଇବା ଲାଗି ସଂଘ ଏହାର ସଦସ୍ୟମାନଙ୍କୁ କହିଛି। ସେହି ତଥ୍ୟ ଉପଭୋକ୍ତା ବ୍ୟାପାର ବିଭାଗକୁ ଦିଆଯିବ।

ଭାରତ ଏହାର ୬୦ ପ୍ରତିଶତ ଖାଇବା ତେଳ ଆମଦାନି କରୁଛି। ଏହା ହେଉଛି ବିଶ୍ବର ଦ୍ବିତୀୟ ବୃହତ ଖାଇବା ତେଲ ବ୍ୟବହାରକାରୀ। ଗତ ଛଅ ମାସରେ ବିଶେଷ କରି ୬୦ ଦିନ ଭିତରେ ଆନ୍ତର୍ଜାତିକ ବଜାରରେ ଖାଇବା ତେଲ ଯେତିକି ଶସ୍ତା ହୋଇଛି, ଭାରତୀୟ ବଜାରରେ ତାହାର ପ୍ରତିଫଳନ ଦେଖିବାକୁ ମିଳିନାହିଁ। ରେକର୍ଡ ପରିମାରର ବାଦାମ, ସୋୟା ଓ ସୋରିଷ ଅମଳ ହୋଇଥିବା ବେଳେ ସେହି ଅନୁସା‌ରେ ତେଲ ଦାମ୍ କମିନାହିଁ ବୋଲି ସଂଘର ସଭାପତି ଅଜୟ ଝୁନ୍‌ଝୁନ୍‌ୱାଲା କହିଛନ୍ତି।

Get real time updates directly on you device, subscribe now.