ନୂଆଦିଲ୍ଲୀ; ଶେଷରେ ବହୁ ଅପେକ୍ଷା ଆଉ କଡା ମୁକାବିଲା ପରେ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ଫଳାଫଳ ପ୍ରକାଶ ପାଇଛି । ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଥିବା ବେଳେ କେବଳ ତେଲେଙ୍ଗାନାରେ ସରକାର ଗଠନ କରିଛି କଂଗ୍ରେସ। ତେବେ ୫ଟି ରାଜ୍ୟରେ ନିର୍ବାଚନ ହୋଇଥିବା ବେଳେ ଆଜି ୪ ରାଜ୍ୟର ଫଳାଫଳ ଘୋଷଣା ହୋଇଛି। ଯେଉଁଥିରେ କଂଗ୍ରେସକୁ ବଡ଼ ବ୍ୟବଧାନରେ ହରାଇ ବିଜେପି ୩ଟି ରାଜ୍ୟ ନିଜ କ୍ଷମତାକୁ ନେଇଛି। ବିଶେଷକରି କଂଗ୍ରେସ କ୍ଷମତାରେ ଥିବା ଛତିଶଗଡ଼ ଓ ରାଜସ୍ଥାନ ଭଳି ରାଜ୍ୟ ଏବେ ବିଜେପି କ୍ଷମତାକୁ ଚାଲିଯାଇଛି। ବିଜେପିର ଏହି ବଡ଼ ବିଜୟ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିବା ବେଳେ ଦଳ ପକ୍ଷରୁ ବିଜୟ ଉତ୍ସବ ପାଳନ ହେଉଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଏକ ଐତିହାସିକ ବିଜୟ ବୋଲି ଏଥିରେ କହିବା ସହ ନିଜର ଅଭିଭାଷଣ ରଖିଛନ୍ତି।
ସେ ଅଭିଭାଷଣରେ କହିଛନ୍ତି ଯେ, ଆଜିର ବିଜୟ ଏକ ଐତିହାସିକ ବିଜୟ । ଏହା ସୁଶାସନର ବିଜୟ, ଏହି ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ। ଏହା ସହ ସେ କହିଛନ୍ତି ଯେ, ଦେଶର ୪ଟି ଜାତିର ବିକାଶ ହେଲେ ଦେଶର ବିକାଶ ହେବ । ଏହି ୪ଟି ଜାତି ହେଲେ ନାରୀ, ଯୁବଗୋଷ୍ଠୀ,କୃଷକ ଓ ଗରିବ । ମୁଁ ମୋ ମାଆ, ଭଉଣୀ, ଝିଅମାନଙ୍କ ଆଗରେ ପ୍ରଣାମ କରୁଛି, ମୁଁ ମୋର ଯୁବ ବନ୍ଧୁମାନଙ୍କ ସମ୍ମୁଖରେ ଅଛି, ମୁଁ ମୋର କୃଷକ ସହକର୍ମୀଙ୍କ ସମ୍ମୁଖରେ ଅଛି, ସେମାନଙ୍କ ନିଷ୍ପତ୍ତି ଆଗରେ ମୁଁ ମୋର ଗରିବ ପରିବାର ଆଗରେ ପ୍ରଣାମ କରୁଛି । ଏହି ନିର୍ବାଚନ ଫଳାଫଳ ଆଉ ଏକ କଥା ସ୍ପଷ୍ଟ କରିଛି ଯେ ଦେଶର ଯୁବବର୍ଗ କେବଳ ବିକାଶ ଚାହୁଁଛନ୍ତି। ସେ ରାଜସ୍ଥାନ ହେଉ, ଛତିଶଗଡ଼ ହେଉ କି ତେଲେଙ୍ଗାନା, ଯେଉଁଠି ସରକାର ଯୁବକଙ୍କ ବିରୋଧରେ କାମ କରିଛନ୍ତି, ସେମାନେ କ୍ଷମତାରୁ ଦୂରେଇ ଯାଇଛନ୍ତି। ଏହି ତିନୋଟି ରାଜ୍ୟରେ କ୍ଷମତାରେ ଥିବା ଦଳ ଏବେ କ୍ଷମତାରୁ ଦୂରେଇ ଯାଇଛନ୍ତି। ଏହି ନିର୍ବାଚନ ଫଳର ପ୍ରଭାବ କେବଳ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସୀମିତ ରହିବ ନାହିଁ । ଏହା ଦୂର ପର୍ୟ୍ୟନ୍ତ ଯିବ ବୋଲି କହିଛନ୍ତି। ଅନ୍ୟପଟେ ଏହି ବୃହତ ବିଜୟ ପାଇଁ ସେ ଭୋଟର ଓ ଦଳୀୟ କାର୍ୟ୍ୟକର୍ତ୍ତା ଏବଂ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅମିତ ଶାହା ଓ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।