fbpx

ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ମିଳିବ କନିଷ୍ଠ ମେଧାବୃତ୍ତି, ରାଜ୍ୟ ସରକାର କଲେ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଯୁକ୍ତ ଦୁଇ (ଏକାଦଶ ଓ ଦ୍ୱାଦଶ) ଛାତ୍ରଛାତ୍ରୀଙ୍କୁ ମିଳିବ କନିଷ୍ଠ ମେଧାବୃତ୍ତି । ଏନେଇ ସମସ୍ତ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅବଗତ କରଯାଇଛି । ୨୦୨୧-୨୨ ବର୍ଷ ପାଇଁ ଏହି ମେଧାବୃତ୍ତି ମିଳିବ । ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆସନ୍ତା ୧୫ ତାରିଖ ମଧ୍ୟରେ https://scholarship.odisha.gov.in ଲିଙ୍କକୁ ଯାଇ ଏଥିରେ ଆବେଦନ କରିପାରିବେ ।
ଏହାପରେ ଶିକ୍ଷାନୁଷ୍ଠାନମାନେ ୧୬ ତାରିଖ ସୁଦ୍ଧା ଆବେଦନ ପତ୍ର ଯାଞ୍ଚ କରି ଭ୍ୟାଲିଡେସନ କରିବେ । ଏହି ସ୍କିମରେ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ବର୍ଷ ୩ ହଜାର ହିସାବରେ ଦୁଇ ବର୍ଷ ପର୍ଯ୍ୟନ୍ତ ମୋଟ ୬ ହଜାର ଟଙ୍କା ମିଳିବ । ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷମାନେ ବିଦ୍ୟାର୍ଥୀଙ୍କର ନବୀକରଣ କରିବା ସହ ନୂଆ ବିଦ୍ୟାର୍ଥୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ । ତେବେ ଏଥିପାଇଁ ଛାତ୍ରଛାତ୍ରୀମାନେ ଦଶମରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିବା ସହ ଅଭିଭାବକଙ୍କର ବାର୍ଷିକ ଆୟ ୬ ଲକ୍ଷରୁ କମ୍ ହୋଇଥିବା ଆବଶ୍ୟକ । ଏସବୁ ଯୋଗ୍ୟତା ଥିଲେ ଯୁକ୍ତଦୁଇ ପ୍ରଥମ ବର୍ଷର ପିଲାମାନେ ମଧ୍ୟ ବୃତ୍ତି ପାଇପାରିବେ ।
ତେବେ ଚଳିତ ବର୍ଷ ରାଜ୍ୟରେ ୧୦ ହଜାର ପିଲାଙ୍କୁ ବୃତ୍ତି ପ୍ରଦାନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆବେଦନ ସଂଖ୍ୟା କମ୍ ଥିବାରୁ ପୁନର୍ବାର ଆବେଦନ ସୁଯୋଗ ଦିଆଯାଇଛି । କରୋନା କାରଣରୁ ଗତବର୍ଷ ଆବେଦନ ସଂଖ୍ୟା କମ୍ ହୋଇଥିଲା । ତେଣୁ ଏକାଦଶ ଶ୍ରେଣୀରେ ମାତ୍ର ୧୧୭୮ ଜଣ ପିଲା ବୃତ୍ତି ପାଇଥିଲେ । ତେବେ ଗତବର୍ଷ ଆବେଦନ କରିନଥିବା ପିଲାମାନଙ୍କୁ ପୁନର୍ବାର ଆବେଦନ କରିବାର ସୁଯୋଗ ମିଳିବ ।

Get real time updates directly on you device, subscribe now.