ଇତିହାସ ରଚିଲେ ମସ୍କ… ଟ୍ରମ୍ପଙ୍କ ବିଜୟ ପରେ ମସ୍କଙ୍କ ଉପରେ ହେଉଛି ଡଲାର ବର୍ଷା

ୱାଶିଂଟନ: ଇତିହାସ ରଚିଲେ ଅଲନ ମାସ୍କ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ଦଳର ପ୍ରାର୍ଥର ଡୋନାଲ୍ଟ ଟ୍ରମ୍ପଙ୍କ ବିଜୟ ପରେ ସ୍ପେସ୍‌ଏକ୍ସର ସିଇଓ ଏଲନ୍ ମସ୍କଙ୍କ ସମ୍ପତ୍ତି ବଢ଼ିବାରେ ଲାଗିଛି। ବିଶ୍ବର ଶୀର୍ଷ ଧନୀ ବ୍ୟକ୍ତି ଭାବେ ପରିଚିତ ମସ୍କଙ୍କ ବର୍ତ୍ତମାନର ସମ୍ପତ୍ତି ୩୩୪.୩ ବିଲିଅନ ଡଲାରରେ ପହଞ୍ଚିଛି ବୋଲି ଫୋର୍ବସ ମାଗାଜିନ ପକ୍ଷରୁ କହାଯାଇଛି। ଏଥିସହ ଇତିହାସରେ ସେ ସବୁଠୁ ବଡ଼ ଧନୀ ବ୍ୟକ୍ତିରେ ପରିଣତ ହୋଇଥିବା କୁହାଯାଉଛି। ତାଙ୍କ ମାଲିକାନାରେ ପରିଚାଳିତ କମ୍ପାନି ଗୁଡ଼ିକର ସେୟାର ମୂଲ୍ୟ ବୃଦ୍ଧି କାରଣରୁ ଏପରି ହୋଇଛି।

ବିଦ୍ୟୁତ ଯାନ ନିର୍ମାତା ଟେସ୍‌ଲାର ସେୟାର ମୂଲ୍ୟରେ ୩.୮ ପ୍ରତିଶତ ବୃଦ୍ଧି ଘଟିଛି। ଏହାର ମୂଲ୍ୟ ଗତ ସାଢ଼େ ୩ ବର୍ଷର ସର୍ବୋଚ୍ଚସ୍ତର ଅର୍ଥାତ୍ ୩୫୨.୫୬ ଡଲାର ଛୁଇଁଛି। ଟେସ୍‌ଲାର ସେୟାର ମୂଲ୍ୟ ବୃଦ୍ଧି କାରଣରୁ ମସ୍କଙ୍କ ସମ୍ପତ୍ତିରେ ୭ ବିଲିଅନ ଡଲାର ବୃଦ୍ଧି ଘଟିଛି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳ ପ୍ରକାଶ ପାଇବା ପରଠାରୁ ଟେସ୍‌ଲାର ସେୟାର ମୂଲ୍ୟରେ ଆକର୍ଷଣୀୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଲାଣି। ଏଥିଯୋଗୁ ମସ୍କଙ୍କ ସମ୍ପତ୍ତିରେ ପ୍ରାୟ ୭୦ ବିଲିଅନ ଡଲାର ବଢିଛି । ‌ଟେସ୍‌ଲାରେ ମସ୍କଙ୍କର ୧୩ ପ୍ରତିଶତ ଅଂଶଧନ ରହିଛି। ତାଙ୍କର ଏକ୍ସଏଆଇ କମ୍ପାନି ମଧ୍ୟ ସମ୍ପତ୍ତି ବୃଦ୍ଧିରେ ସହାୟକ ହୋଇଛି। ଏହି କମ୍ପାନି ତାଙ୍କ ନେଟ ସମ୍ପତ୍ତିରେ ୧୩ ବିଲିଅନ ଡଲାର ଯୋଡ଼ିଛି।  ଏହାବ୍ୟତୀତ ସ୍ପେସଏକ୍ସର ସେୟାର ମୂଲ୍ୟ ବୃଦ୍ଧି ଫଳରେ ମଧ୍ୟ ତାଙ୍କ ସମ୍ପତ୍ତି ବଢ଼ିଛି। ଏହାଫଳରେ ମସ୍କଙ୍କ ସମ୍ପତ୍ତି ବ୍ୟବଧାନ ବିଶ୍ବର ଦ୍ବିତୀୟ ବଡ଼ ଧନୀ ତଥା ଓରାକଲ୍ ଅଧ୍ୟକ୍ଷ ଲାରି ଏଲିସନଙ୍କ ଠାରୁ ବହୁ ଅଧିକ ହୋଇଯାଇଛି। ଲାରିଙ୍କ ତୁଳନାରେ ମସ୍କଙ୍କ ସଂପତ୍ତି ୮୦ ବିଲିଅନ ଡଲାର ଅଧିକ ରହିଛି। ଟ୍ରମ୍ପଙ୍କ ପାଇଁ ମସ୍କ ଖୋଲ‌ାଖୋଲି ପ୍ରଚାର କରିବା ସହିତ ବହୁ ପରିମାଣରେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଆଗାମୀ ଦିନରେ ଟ୍ରମ୍ପ ପ୍ରଶାସନଠାରୁ ମସ୍କଙ୍କ କମ୍ପାନିଗୁଡ଼ିକ ଲାଭବାନ ହେବେ ବୋଲି ଆଶା କରାଯାଉଛି।