fbpx

ମୁକେଶ ଅମ୍ବାନୀ ଜୀବନରେ ଯେତେ ଆୟ କରିଛନ୍ତି, ତାଠୁ ଅଧିକ ସଂପତ୍ତି ୧୦ ମାସରେ ହରାଇଲେ ମସ୍କ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସଂପତ୍ତି ହରାଇବା ମାମଲାରେ ଏକ ନମ୍ବର ସ୍ଥାନରେ ପହଞ୍ଚି ଯାଇଛନ୍ତି। ଫେସବୁକ ମାଲିକ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ମସ୍କ ଏହି ସ୍ଥାନ ହାସଲ କରିଛନ୍ତି। ଟ୍ଵିଟରର ନୂତନ ମାଲିକ ଏଲନ ମସ୍କଙ୍କ ସଂପତ୍ତିରେ ଚଳିତ ବର୍ଷ ୯୦.୮ ବିଲିୟନ ଡଲାର(ପ୍ରାୟ ୧,୪୬୭,୮୦୦ କୋଟି ଟଙ୍କା)ର କ୍ଷତି ଘଟିଛି। ମାର୍କ ଜୁକରବର୍ଗଙ୍କୁ ୮୮.୨ ବିଲିୟନ ଡଲାରର କ୍ଷତି ସହିବାକୁ ପଡିଛି।

ଭାରତ ନୁହେଁ ବରଂ ଏସିଆର ଦ୍ଵିତୀୟ ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପୂରା ଜୀବନରେ ଯେତେ ଆୟ କରିଛନ୍ତି, ତାଠୁ କେଉଁ ଗୁଣ ଅଧିକ ସଂପତ୍ତି ମସ୍କ ଚଳିତ ବର୍ଷ ହରାଇ ସାରିଛନ୍ତି। ବ୍ଲୁମର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ଚଳିତ ବର୍ଷ ମସ୍କଙ୍କ ସଂପତ୍ତି ୯୦.୮ ବିଲିୟନ ଡଲାର ହ୍ରାସ ଘଟିଛି। ଆଜିର ତାରିଖରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ମୋଟ୍ ସଂପତ୍ତିର ପରିମାଣ ୯୦ ବିଲିୟନ ଡଲାର।

ଚଳିତ ବର୍ଷ ସଂପତ୍ତି ହରାଇବାରେ ଫେସବୁକର ମାଲିକ ଜୁକରବର୍ଗଙ୍କ ନାମ ବି ସାମିଲ୍। ଚଳିତ ବର୍ଷ ଅଦ୍ୟାବଧି ସେ ୮୮.୨ ବିଲିୟନ ଡଲାରର ସଂପତ୍ତି ହରାଇଛନ୍ତି। ତୃତୀୟ ନମ୍ବରରେ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଅଛନ୍ତି। ସେ ଚଳିତ ବର୍ଷ ୭୯.୬ ବିଲିୟନ ଡଲାର ସଂପତ୍ତି ହରାଇ ସାରିଲେଣି।

ଗୋଟିଏ ବିଲିୟନର ଅର୍ଥ ହେଉଛି ୧୦୦ କୋଟି ଟଙ୍କା। ବର୍ତ୍ତମାନ ମସ୍କଙ୍କ ନିକଟରେ ୧୭୯ ବିଲିୟନ ଡଲାରର ସଂପତ୍ତି ରହିଛି। ଅର୍ଥାତ ୧୭ ହଜାର ୯୦୦ କୋଟି ଡଲାର। ଏହାକୁ ଡଲାର ପିଛା ୮୨ ଟଙ୍କା ହିସାବରେ ଟଙ୍କାରେ ବଦଳାଇଲେ ୧,୪୬୭,୮୦୦ କୋଟି ଟଙ୍କା ହେବ।

କାହିଁକି ହ୍ରାସ ପାଉଛି ମସ୍କଙ୍କ ସଂପତ୍ତି
ଏଲନ ମସ୍କ ହୁଅନ୍ତୁ କି ମାର୍କ ଜୁକରବର୍ଗଗ କିମ୍ବା ଜେଫ ବେଜୋସ। ଏମାନଙ୍କ ସଂପତ୍ତିର ବଡ ଭାଗ ଏମାନଙ୍କ କମ୍ପାନିର ସେୟାରରୁ ଆସିଥାଏ। ଏଲନ ମସ୍କଙ୍କ କମ୍ପାନିର ସେୟାର ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୫୨ ପ୍ରତିଶତରୁ ଅଧିକ ହ୍ରାସ ଘଟି ସାରିଛି। ଅନ୍ୟପକ୍ଷେ ମାର୍କ ଜୁକରବର୍ଗଙ୍କ କମ୍ପାନି ମେଟାର ସେୟାର ଅଦ୍ୟାବଧି ୭୧ ପ୍ରତିଶତରୁ ଅଧିକ ଖସି ସାରିଛି। ଷ୍ଟକ୍ସରେ ଏମିତି ହ୍ରାସର ପ୍ରଭାବ ଏହି ଧନଶାଳୀ ବ୍ୟକ୍ତିଙ୍କ ସଂପତ୍ତି ଉପରେ ପଡିଛି।

Get real time updates directly on you device, subscribe now.