fbpx

ରାଜନେତାଙ୍କୁ ପାଖରୁ ଛାଡିବାକୁ କର୍ମୀ ଓ ଜନତା ନାରାଜ, ରାସ୍ତାରେ ଗଡି କଲେ ନିବେଦନ, ଜାଣନ୍ତୁ କିଏ ସେହି ନେତା

ପାଟନା: ଚିରାଗ ପାଶୱାନ ବିହାରର ଜମୁଇ ଆସନରୁ ଲୋକସଭା ସଦସ୍ୟ ବା ସାଂସଦ ଅଛନ୍ତି । ବିହାରରେ ଚିରାଗ ଜଣେ ୟୁଥ ଆଇକନ୍ ତଥା ଲୋକପ୍ରିୟ ରାଜନେତା ଭାବରେ ପରିଚିତ । ଏହି କାରଣରୁ ତାଙ୍କର ଫ୍ୟାନ୍ ଫ୍ଲୋଇଂ ବି ବହୁତ ଅଧିକ । ଏହାର ଏକ ଝଲକ ଏବେ ଚିରାଗଙ୍କ ସଂସଦୀୟ କ୍ଷେତ୍ର ଜମୁଇରେ ଦେଖିବାକୁ ମିଳିଛି ତାହା ପୁଣି ୟୁନିକ୍ ଅନ୍ଦାଜରେ ।

ଝାଝାରେ କେନ୍ଦ୍ରୀୟ ବିଦ୍ୟାଳୟ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିବା ଲୋକ ଜନଶକ୍ତି ପାର୍ଟି ରାମବିଲାସର ଅଧ୍ୟକ୍ଷ ତଥା ଜମୁଇ ସାଂସଦ ଚିରାଗ ପାଶୱାନଙ୍କ ନିକଟରେ ସେହି ସମୟରେ ଅଭାବନୀୟ ସ୍ଥିତି ଉପୁଜିଥିଲା ଯେତେବେଳେ ବହୁସଂଖ୍ୟାରେ ସମର୍ଥକ ଓ ଦଳର କର୍ମୀ ୨୦୨୪ ଲୋକସଭା ନିର୍ବାଚନ ଏହିଠାରୁ ଲଢିବା ପାଇଁ ତାଙ୍କୁ କାନ୍ଦି କାନ୍ଦି ନିବେଦନ କରିବା ସହିତ ତାଙ୍କ ଗାଡି ସାମ୍ନାରେ ଗଡି ଯାଇଥିଲେ । ଆୟୋଜନ ପରେ ଯେତେବେଳେ ଚିରାଗ ପାଟନା ଯିବା ପାଇଁ ନିଜ ଗାଡିରେ ବସିଥିଲେ ସେତେବେଳେ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ଭଲପାଇବା ଏହି ନେତାଙ୍କ ଉପରେ ଅଜାଡି ହୋଇପଡିଥିଲା ।

ସମସ୍ତେ ତାଙ୍କ ଗାଡିକୁ ଅଟକାଇ ତାଙ୍କୁ ଜମୁଇରୁ ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିଥିଲେ । ଜମୁଇ ଛାଡି ନ ଯାଅ ବୋଲି ସେମାନେ ତାଙ୍କୁ ଅନୁରୋଧ କରିବା ସହ ବହୁ କର୍ମୀ ଭାବୁକ ହୋଇପଡି କାନ୍ଦି ପକାଇଥିଲେ । ପରେ ଚିରାଗ ସମସ୍ତଙ୍କୁ ବୁଝାଇଥିଲେ । ଏହି ସମୟରେ ତାଙ୍କ ଆଖିରେ ବି ଲୁହ ଆସିଯାଇଥିଲା । ସେ ଭାବପ୍ରବଣ ହୋଇପଡି କହିଥିଲେ ଏହିଠାରୁ ହିଁ ତାଙ୍କର ପରିଚୟ ସୃଷ୍ଟି ହୋଇଛି । ଏଠାରେ ଲୋକମାନେ ତାଙ୍କୁ ଯେଉଁ ଭଲପାଇବା ଦେଇଛନ୍ତି ସେ ତାହା କେବେ ଭୁଲିପାରିବେ ନାହିଁ । ସେ ସାଂସଦ ରୁହନ୍ତୁ କି ନ ରୁହନ୍ତୁ ଜମୁଇର ପୁଅ ହୋଇ ଜୀବନ ସାରା ରହିବେ । ତେବେ ଚିରାଗ ହାଜିପୁରରୁ ନିର୍ବାଚନ ଲଢିବା ନେଇ ଅନୁମାନ କରାଯାଉଥିବା ବେଳେ ଏହାକୁ ନେଇ ଜମୁଇର ସମର୍ଥକ ଓ କର୍ମୀମାନେ ନିରାଶ ହୋଇପଡିଛନ୍ତି ।

Get real time updates directly on you device, subscribe now.