ଜୁନ ୧ରୁ ସପ୍ତାହକୁ ୪ ଦିନ କାମ କରିବେ କର୍ମଚାରୀ: ଜାଣନ୍ତୁ କେଉଁଠି ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ସପ୍ତାହକୁ ୪ ଦିନ କାମ କରିବା ଫର୍ମୁଲାକୁ ନେଇ ଅନେକ ଦେଶ ଆଲୋଚନା ଜାରି ରଖିଛନ୍ତି । ଏହାକୁ ଫୋର ଡେ ୱାର୍କ ୱିକ ବୋଲି କୁହାଯାଏ । ତେବେ ଆସନ୍ତା ଜୁନ ୧ ତାରିଖରୁ ଏହି ଫର୍ମୁଲା ଆପଣେଇବ ବ୍ରିଟେନ । ଦେଶର ମୋଟ ୬୦ ବଡ କମ୍ପାନୀ ଏହି ଦିନରୁ ୪ ଦିନିଆ କାମର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି । ଆସନ୍ତା ୬ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରାୟଲରେ କର୍ମଚାରୀମାନେ ସପ୍ତାହକୁ ୪ ଦିନ ଏବଂ ସର୍ବାଧିକ ୩୨ ଘଣ୍ଟା କାମ କରାଇପାରିବେ । ଅର୍ଥାତ ପ୍ରତ୍ୟେକ ସପ୍ତାହରେ ୩ ଦିନ ଲେଖାଏଁ ଛୁଟି ପାଇବେ କର୍ମଚାରୀ ।

ତେବେ ଏହି ଛୁଟି ସମୟରେ କର୍ମଚାରୀଙ୍କ ଦରମାରେ କୌଣସି ପରିବର୍ତ୍ତନ ହେବନାହିଁ । ତେବେ ଏହି ସମୟରେ ପ୍ରଡକ୍ଟିଭିଟିକୁ ମାପିବା ସବୁଠୁ ବଡ ଚାଲେଞ୍ଜ ହୋଇ ଠିଆ ହୋଇପାରେ । ତେଣୁ ୫ ଦିନର କାର୍ଯ୍ୟକୁ ୪ ଦିନରେ ଶେଷ କରିବାକୁ ପଡିବ । ଗତ ଜାନୁୟାରୀରୁ ସଂଯୁକ୍ତ ଆରବ ଅମୀରାତର ସରକାରୀ କାର୍ଯ୍ୟାଳୟଗୁଡିକରେ ଏହି ନିୟମ ଲାଗୁ ହୋଇ ସାରିଛି । ଏଠରେ ଏବେ ୫ ଦିନ ପରିବର୍ତ୍ତେ ସଢେ ୪ ଦିନର କାର୍ଯ୍ୟ ଚାଲୁ ରହିଛି । ଶୁକ୍ରବାର ଦିନ ହାଫ ଡେ ୱାର୍କିଙ୍ଗ ରହୁତିବା ବେଳେ ଶନିବାର ଏବଂ ରବିବାର କାର୍ଯ୍ୟାଳୟ ବନ୍ଦ ରହିଥାଏ । ତେବେ ଖୁବ ଶୀଘ୍ର ଏହି ନିୟମ ପ୍ରାଇଭେଟ କାର୍ଯ୍ୟାଳୟଗୁଡିକରେ ମଧ୍ୟ ଲାଗୁ କରାଯିବା ନେଇ ଚିନ୍ତା କରାଯାଉଛି ।

ବେଲଜିୟମ, ଆରଲାଣ୍ଡ, ଆଇସଲାଣ୍ଡ ସମେତ ସ୍ପେନ, ନ୍ୟୁଜିଲାଣ୍ଡ ଏବଂ ସ୍କଟଲାଣ୍ଡ ଆଦି ରାଜ୍ୟରେ ଏହି ନିୟମ ଲାଗୁ ହୋଇସାରିଛି । ଏବେ ଭାରତରେ ଏହି ନିୟମ ପ୍ରଣୟନ କରାଯିବା ନେଇ ଆଲୋଚନା ଜାରି ରହିଛି । ଶ୍ରମ ଆଇନରେ ସଂଶୋଧନ ପ୍ରକ୍ରିୟାରେ ନିଆଯାଉଛି ଏହି ପଦକ୍ଷେପ । ତେବେ ଏହାଦ୍ୱାରା ମାନସିକ ଚାପରୁ କର୍ମଚାରୀମାନେ ସାମାନ୍ୟ ହାଲକା ଅନୁଭବ କରିବେ ବୋଲି ଆଶା କରାଯାଉଛି ।