CHARIDHAM

୪୩ ବର୍ଷରେ ଇପିଏଫ୍‌ ସୁଧ ହେଲା ସର୍ବନିମ୍ନ, ୮.୧%କୁ ହ୍ରାସ

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିଜର ସଦସ୍ୟମାନଙ୍କୁ ୮.୧% ହାରରେ ସୁଧ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) । ଏହା ୨୦୨୦-୨୧ର ୮.୫% ସୁଧ ତୁଳନାରେ ୦.୪% କମ୍ । ଗତ ଚାରି ଦଶନ୍ଧି ମଧ୍ୟରେ ଇପିଏଫ୍‌ଓ ସୁଧ ହାର ସର୍ବନିମ୍ନ ସ୍ତରକୁ ଖସିଆସିଛି । ଶେଷ ଥର ଲାଗି ୧୯୭୭-୭୮ରେ ଇପିଏଫ୍‌ଓ ସବୁଠୁ କମ୍ ୮% ସୁଧ ଜମା କରିଥିଲା। ସେହିପରି ୨୦୧୧-୧୨ ଆର୍ଥିକ ବର୍ଷରେ ସଦସ୍ୟମାନଙ୍କୁ ୮.୨୫% ସୁଧ ପ୍ରଦାନ କରାଯାଇଥିଲା। କରୋନା ମହାମାରୀ ଇପିଏଫ୍‌ଓର ଆୟକୁ ଗୁରୁତର ଭାବେ ପ୍ରଭାବିତ କରିଛି ।

ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ଇପିଏଫ୍‌ଓର ଆୟ ୭୬,୭୬୮ କୋଟି ଟଙ୍କା ରହିଛି। ଡେବ୍‌ଟ ନିବେଶରୁ ହୋଇଥିବା ଆୟ ବ୍ୟତୀତ ‌ସୌଭାଗ୍ୟବଶତଃ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପୂର୍ବରୁ ଇକ୍ବିଟି ଟ୍ରେଡେଡ୍‌ ଫଣ୍ଡ୍ (ଇଟିଏଫ୍) ବିକ୍ରି ସମ୍ଭବ ହେବାରୁ ଇପିଏଫ୍‌ଓର ପାଣ୍ଠି ବୃଦ୍ଧି ପାଇଥିଲା। ମୋଟ ପାଣ୍ଠି ପରିମାଣ ଯଦିଓ ୧୩% ବଢ଼ିଥିଲା, ମାତ୍ର ସୁଧରୁ ହେଉଥିବା ଆୟ ୮%ରେ ସୀମିତ ରହିଥିଲା। ସମସ୍ତ ଉତ୍ସରୁ ହୋଇଥିବା ଆୟ ବିଚାରକୁ ନେବା ପରେ ୮.୧% ସୁଧ ଦେବାକୁ ନିଷ୍ପତ୍ତି ହୋଇଛି। ସୁଧ ଜମା କରିବା ପରେ ଇପିଏଫ୍‌ଓ ପାଖରେ ୪୫୦ କୋଟି ଟଙ୍କାର ବଳକା ରହିବ ଯାହାକୁ ପେନ୍‌ସନ୍ ପାଣ୍ଠିରେ ଜମା କରାଯିବ। ଶନିବାର ଗୌହ୍ବାଟିରେ ଅନୁଷ୍ଠିତ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ସୁଧ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।