fbpx

ରୋଜଗାର ନକଲେ ବି ପତ୍ନୀଙ୍କୁ ଦେବାକୁ ପଡ଼ିବ ଗୁଜୁରାଣ ଭତ୍ତା: ହାଇକୋର୍ଟ ମଧ୍ୟ ଗ୍ରହଣ କଲେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ପାଟନା ହାଇକୋର୍ଟ ନିଜର ଏକ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ବ୍ୟକ୍ତିଙ୍କ ଆୟ ଗୋଟିଏ ଟଙ୍କା ବି ନୁହେଁ, ତାଙ୍କ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଭାବରେ ମାସକୁ ୪୦୦୦ ଟଙ୍କା ଦେବାକୁ ପଡିବ । ଧୀରଜ କୁମାରଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଶୁଣିବା ପରେ ଜଷ୍ଟିସ ବିବେକ ଚୌଧୁରୀଙ୍କ ଏକକ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଶେଖପୁରା ଜିଲ୍ଲା ସହ ଜଡିତ ଏକ ମାମଲାରେ ନିମ୍ନ ଅଦାଲତ ଦ୍ୱାରା ସିଆରପିସିର ଧାରା ୧୨୫ ଅନୁଯାୟୀ ପତ୍ନୀଙ୍କୁ ଗୁଜୁରାଣ ଭତ୍ତା ଭାବରେ ଚାରି ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟରେ ଆବେଦନ କରି ଆବେଦନକାରୀ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ ।

ଆବେଦନକାରୀଙ୍କ ତରଫରୁ କୋର୍ଟଙ୍କୁ କୁହାଯାଇଥିଲା ଯେ, ତାଙ୍କର କୌଣସି ଆୟ ନାହିଁ । ସେ କୋଲକାତାରେ ଗୁପଚୁପ ବିକ୍ରି କରିବାରେ ତାଙ୍କ ପିତାଙ୍କୁ ସାହାଯ୍ୟ କରନ୍ତି । ସେଥିରୁ ପ୍ରତିଦିନ ମାତ୍ର ୨୦୦ ଟଙ୍କା ରୋଜଗାର ହୁଏ । ଏଭଳି ପରିସ୍ଥିତିରେ ପତ୍ନୀଙ୍କୁ ମାସକୁ ଚାରି ହଜାର ଟଙ୍କା ଦେବା ସମ୍ଭବ ନୁହେଁ । ଏହା ଉପରେ କୋର୍ଟ କହିଛନ୍ତି ଯେ, ମାମଲାର ରେକର୍ଡ ଦେଖିବା ପରେ ଜଣାପଡୁଛି ଯେ କୌଣସି ପକ୍ଷ ଆୟକୁ ସମର୍ଥନ କରି କୌଣସି ଦଲିଲ ଉପସ୍ଥାପନ କରିନାହାଁନ୍ତି । କୌଣସି ଦଲିଲର ଅନୁପସ୍ଥିତିରେ ଆବେଦନକାରୀ ଦୈନିକ ମଜୁରୀ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ଅନୁମାନ କରାଯିବ ।

ଏହା ଉପରେ ଅଞ୍ଜୁ ଗର୍ଗ ବନାମ ଦୀପକ କୁମାର ଗର୍ଗରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ଦର୍ଶାଇଛନ୍ତି । ଅଦାଲତ କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ଆୟ ରେକର୍ଡ ହୋଇନାହିଁ ଏବଂ ଯିଏ ବେକାର ବୋଲି ଦାବି କରୁଛି ତାହାର ମାସିକ ଦରମା ସର୍ବନିମ୍ନ ମଜୁରୀ ଅଧିନିୟମ ଆଧାରରେ ବିଚାର କରାଯିବା ଉଚିତ । ରାଜ୍ୟରେ ଜଣେ ବ୍ୟକ୍ତିଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ତେଣୁ କୋର୍ଟ ତାଙ୍କ ଆନୁମାନିକ ଆୟକୁ ପ୍ରତିଦିନ ୪୦୦ ଟଙ୍କା ବୋଲି ବିବେଚନା କରନ୍ତି ।

ଏହିପରି ଆବେଦନକାରୀ ଦୈନିକ ମଜୁରୀ ଶ୍ରମିକ ଭାବରେ ମାସକୁ ୧୨ ହଜାର ଟଙ୍କା ରୋଜଗାର କରନ୍ତି । କୋର୍ଟ କହିଛନ୍ତି ଯେ ଆବେଦନକାରୀ ତାଙ୍କ ଆୟର ଏକ ତୃତୀୟାଂଶ ତାଙ୍କ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଭାବରେ ଦେବାକୁ ବାଧ୍ୟ । ଏହି ରାୟ ଦେବା ସହିତ କୋର୍ଟ ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଛନ୍ତି ।

Get real time updates directly on you device, subscribe now.