fbpx

ପୂର୍ବତନ ମନ୍ତ୍ରୀ ଡି.ବି ଚନ୍ଦ୍ରେ ଗୌଡ଼ଙ୍କ ପରଲୋକ: ଇନ୍ଦିରା ଗାନ୍ଧିଙ୍କ ପାଇଁ ଛାଡ଼ିଥିଲେ ନିଜ ଲୋକସଭା ଆସନ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । କର୍ଣ୍ଣାଟକ ରାଜନୀତିର ଜଣେ ବରିଷ୍ଠ ରାଜନେତା ଡିବି ଚନ୍ଦ୍ରେ ଗୌଡ଼ ଆଉ ନାହାନ୍ତି । ୮୭ ବର୍ଷ ବୟସରେ ଗୌଡ଼ ପରଲୋକ ଗମନ କରିଛନ୍ତି । ଗତ କିଛିଦିନ ଧରି ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । କର୍ଣ୍ଣାଟକର ଚିକ୍କମାଗଲୁରୁ ଜିଲ୍ଲାର ମୁଦିଗେରେ ତାଲୁକର ଦାରାଦାହାଲ୍ଲୀ ସ୍ଥିତ ବାସଭବନରେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଗୌଡ଼ଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରି ଏକ ପୋଷ୍ଟ ଶେୟାର କରିଛନ୍ତି । ଜଣେ ସାଂସଦ, ବିଧାୟକ, ମନ୍ତ୍ରୀ ଭାବେ କର୍ଣ୍ଣାଟକ ରାଜନୀତିରେ ଗୌଡ଼ ଏକ ନିଆରା ଛାପ ଛାଡ଼ି ଯାଇଛନ୍ତି । ଭାରତୀୟ ସମ୍ବିଧାନକୁ ସେ ଗଭୀର ଭାବେ ବୁଝିବା ସହିତ ସମାଜସେବା ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା । ଜନସେବାର ସେ ଜଣେ ମହାନାୟକ ଥିଲେ । ଏହି ଅବସରରେ ମୋଦୀ ଗୌଡ଼ଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ ।

ଜଣେ ବରିଷ୍ଠ ରାଜନେତା ଭାବେ ଗୌଡ଼ ୪ଟି ଗୃହର ସଦସ୍ୟ ରହିଥିଲେ । ସେ ରାଜ୍ୟ ବିଧାନସଭା, ବିଧାନ ପରିଷଦ, ଲୋକସଭା ଓ ରାଜ୍ୟସଭାର ସଦସ୍ୟ ରହିଥିଲେ । ସେ ନିଜ ରାଜନୈତିକ କ୍ୟାରିୟର ମଧ୍ୟରେ ପ୍ରଜା ସୋସିଆଲିଷ୍ଟ ପାର୍ଟି, କର୍ଣ୍ଣାଟକ କ୍ରାନ୍ତି ରଙ୍ଗ, ଜନତା ପାର୍ଟି, ଜନତା ଦଳ, କଂଗ୍ରେସ ଓ ବିଜେପିରେ କାର୍ଯ୍ୟ କରିଥିଲେ । ୧୯୭୮ ମସିହା ଜରୁରୀକାଳୀନ ପରିସ୍ଥିତି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଗୌଡ଼ ନିଜ ଲୋକସଭା ଆସନକୁ ଛାଡ଼ି ଦେଇଥିଲେ । ଏହାଫଳରେ ରାଜନୈତିକ କ୍ଷେତ୍ରକୁ ତାଙ୍କର ପ୍ରତ୍ୟାବର୍ତ୍ତନ ନେଇ ରାସ୍ତା ଖୋଲିଯାଇଥିଲା ।

Get real time updates directly on you device, subscribe now.