fbpx

ବିଜେପିକୁ ବଡ଼ ଝଟକା: ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡ଼କୁ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେହି ରାଜ୍ୟଗୁଡ଼ିକ ମଧ୍ୟରେ ସବୁଠାରୁ ଚର୍ଚ୍ଚାରେ ରହିଛି ମଧ୍ୟପ୍ରଦେଶ । କାରଣ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ କରିଥିବା ବେଳେ ବିଜେପି ପରାଜୟ ବରଣ କରିଥିଲା । ତେଣୁ ଏଥର ବିଜେପି କ୍ଷମତାକୁ ବଳବତ୍ତର ରଖିବା ପାଇଁ ଦଳର ଚାଣକ୍ୟ ଅମିତ ଶାହ ସ୍ପେଶାଲ ଗୋଟି ଚାଳନା କରୁଛନ୍ତି ।

ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶ ରାଜନୀତିରେ ବିଜେପିକୁ ଲାଗିଛି ଏକ ବଡ଼ ଝଟକା । ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆରଏସଏସ)ର ପ୍ରଚାରକ ଭାବେ କାର୍ଯ୍ୟ କରିଥିବା ଦଳର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସନ୍ତୋଷ ଜୋଶୀ ଦଳରୁ ଇସ୍ତଫା ଦେଇଛନ୍ତି । ଗୋଟିଏ ପଟେ ଦଳ ଜନ ଆଶିର୍ବାଦ ଯାତ୍ରା ମାଧ୍ୟମରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ସନ୍ତୋଷ ପଦ୍ମ ଛାଡ଼ିବା ଦଳକୁ ବଡ଼ ଝଟକା ଦେଇଛି ।

ଗତ ୨୦୦୮ ମସିହାରେ ସନ୍ତୋଷ ଶାଜାପୁରର ସୁସନେର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଭିନ୍ନ ଅସନ୍ତୋଷ କାରଣରୁ ସେ ଦଳ ଛାଡ଼ିଥିବା ସନ୍ତୋଷ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏଥିସହିତ ଆସନ୍ତା ନିର୍ବାଚନରେ ସେ ସୁସନେର ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ସନ୍ତୋଷଙ୍କ ପୂର୍ବରୁ ମଧ୍ୟ କିଛି ନେତା ଦଳରୁ ଇସ୍ତଫା ଦେଇସାରିଛନ୍ତି ।

Get real time updates directly on you device, subscribe now.