fbpx

ଏମିତି କାରନାମା କେବେ ଶୁଣିନଥିବେ, ଟଙ୍କା ହଡ଼ପ ଖୋଲିଦେଲେ ନକଲି ଥାନା…

ପାଟଣା: ଆପଣ ନକଲି ପୋଲିସ କଥା ଶୁଣିଥିବେ, କେମିତି ଅନେକ ସମୟରେ କେହି ବ୍ୟକ୍ତି ନିଜକୁ ପୋଲିସ ଅଫିସର କହି ଲୋକଙ୍କୁ ଠକିଥାନ୍ତି ଏବଂ ଲୋକଙ୍କୁ ବର୍ଦ୍ଦିର ପାୱାର ଦେଖାଇ ଡରାଇଥାନ୍ତି । ଅନେକ ସମୟରେ ଏହି ନକଲି ପୋଲିସ ଅସଲି ପୋଲିସ ହାବୁଡ଼ରେ ପଡ଼ି ଧରା ମଧ୍ୟ ପଡ଼ିଥାନ୍ତି ।

କିନ୍ତୁ କ’ଣ ଆପଣ ନକଲି ପୋଲିସ ଷ୍ଟେସନ ବିଷୟରେ ଶୁଣିଛନ୍ତି କି? ଆଜ୍ଞା ହିଁ, କଥାଟା ଶୁଣିବାକୁ ଯେତେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ଥାନା ତ’ ନକଲି ଆଉ ପୁଣି ଏହି ପୋଲିସ ଷ୍ଟେସନ ପୂରା ୮ ମାସ ପର୍ଯ୍ୟନ୍ତ କାମ ମଧ୍ୟ କରୁଥିଲା । ଏଠାରେ ଚୌକିଦାର ଠାରୁ ଆରମ୍ଭ କରି ଥାନା ଅଧିକାର ସବୁଥିଲେ ନକଲି । ଏଭଳି ଏକ ଗ୍ୟାଙ୍କର ପର୍ଦ୍ଦାଫାସ କରିଛି ବିହାର ପୋଲିସ୍(Bihar Police) । ଆଉ ଠକାମୀର ଏଭଳି ଉପାୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବଡ଼ କଥା ହେଉଛି ଏହି ନକଲି ପୋଲିସ ଷ୍ଟେସନ(fake police station) ଅସଲି ପୋଲିସ ଷ୍ଟେସନରୁ ହାରାହାରି ୫୦୦ ମିଟରେ ଦୂରରେ ରହିଥିଲା । ଏମାନେ ଅସଲି ପୋଲିସ ପରି ପୋଷାକ ପିନ୍ଧିଥିଲେ । ଗ୍ୟାଙ୍ଗର ଲୋକମାନେ ଏହି ପୋଲିସ ଷ୍ଟେସନକୁ ଆସୁଥିବା ଅଭିଯୋଗକାରୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଲାଞ୍ଚ ନେଉଥିଲେ, ସେମାନେ ଲୋକଙ୍କୁ ସୁରକ୍ଷା ଏବଂ ପୋଲିସରେ ଚାକିରି କରାଇଦେବାକୁ କହି ଟଙ୍କା ହଡ଼ପ କରୁଥିଲେ ।

ତେବେ ଜଣେ ଅସଲି ପୋଲିସ୍ ଅଧିକାରୀ ଗ୍ୟାଙ୍ଗର ଦୁଇ ମେମ୍ବର ବ୍ୟବହାର କରୁଥବା ବନ୍ଧୁକକୁ ଦେଖି ସନ୍ଦେହ କରିଥିଲେ । ଆଉ ଏହାପରେ ଘଟଣାର ସତ୍ୟସତ୍ୟ ସାମ୍ନାକୁ ଆସିଥିଲା । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି । ଘଟଣାରେ ୨ ମହିଳାଙ୍କ ସହ ୬ ଜଣକୁ  ଗିରଫ କରାଯାଇଛି ବୋଲି ତରଫରୁ କୁହାଯାଇଛି ।

Get real time updates directly on you device, subscribe now.