fbpx

ନକଲି ଭ୍ୟାକ୍ସିନ୍ ର୍ୟାକେଟ: କିଙ୍ଗପିନଙ୍କ ସହିତ ଟିଏମ୍ସି ନେତାଙ୍କ ଫଟୋ ଭାଇରାଲ୍

କୋଲକାତା(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗରେ ନକଲି ଟିକା ର୍ୟାକେଟ୍ ମାମଲାକୁ ନେଇ ଆଉ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି । ନକଲି ଆଇଏଏସ ଅଫିସର ତଥା ନକଲି ଟିକାକରଣର ମୁଖ୍ୟ ଅଭିଯୁକ୍ତ ଦେବାଞ୍ଜନ ଦେବଙ୍କ ସହିତ ଏକାଧିକ ଟିଏମ୍ସି ନେତାଙ୍କ ଫଟୋ ଭାଇରାଲ ହେବା ପରେ ବିଜେପି ଏନେଇ ପ୍ରଶ୍ନ ଉଠାଇଛି । ଟିଏମ୍ସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଠକିଥିବା ମାମଲାରେ ଗିରଫ ହୋଇଥିବା ଦେବାଞ୍ଜନଙ୍କୁ ଏକାଧିକ ବରିଷ୍ଠ ଟିଏମ୍ସି ନେତାଙ୍କ ସହିତ ଦେଖିବାକୁ ମିଳିଛି । କୋଲକାତା ପୋଲିସ ଦ୍ୱାରା ଗିରଫ ହୋଇଥିବା ଦେବାଞ୍ଜନ ଗିରଫଦାରୀ ପୂର୍ବରୁ ଏକାଧିକ ଟିଏମ୍ସି ନେତାଙ୍କ ସହିତ ନିଜ ଫଟୋ ଶେୟାର କରିଥିଲେ । ଟିଏମ୍ସିର ବରିଷ୍ଠ ନେତା ଫିରହାଦ୍ ହକିମ୍, ସୁବ୍ରତ ମୁଖାର୍ଜୀଙ୍କ ସମେତ ଅନ୍ୟ ନେତାଙ୍କ ସହିତ ଦେବାଞ୍ଜନଙ୍କ ଫଟୋ ଭାଇରାଲ୍ ହୋଇଛି । ଏହା ବ୍ୟତୀତ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ପୂର୍ବତନ ସଭାପତି ଡ. ଶାନ୍ତନୁ ସେନ୍ ଏବଂ କ୍ରିକେଟ୍ ଆସୋସିଏନ ଅଫ୍ ବେଙ୍ଗଲ୍ର ସଭାପତି ଅଭିଶେକ ଡାଲମିୟାଙ୍କ ସହିତ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଫଟୋ ଗୁଡିକ ଭାଇରାଲ ହେବା ପରେ ବିଜେପି ପକ୍ଷରୁ ଶାସକ ତୃଣମୂଳ କଂଗ୍ରେସକୁ ଆକ୍ରମଣ କରାଯାଇଛି । ବିଜେପି ସାଂସଦ ସୌମିତ୍ର ଖାନ୍ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ ଦାବି କରିଛନ୍ତି । ବିଜେପିର ରାଜ୍ୟସଭା ସାଂସଦ ଟ୍ୱିଟ୍ କରି ଟିଏମ୍ସିକୁ ଟାର୍ଗେଟ୍ କରିଛନ୍ତି । ଟିକା ସାଧାରଣ ବଜାରରେ କିଭଳି ଉପଲବ୍ଧ ହେଲା ବୋଲି ସ୍ୱପନ୍ ପ୍ରଶ୍ନ କରିବା ସହିତ ଏହି ର୍ୟାକେଟ୍ରେ ଟିଏମ୍ସି ବିଧାୟକ ଓ ସାଂସଦଙ୍କ ସମ୍ପୃକ୍ତି ଦାବି କରିଛନ୍ତି । ତେବେ ଏହି ଘଟଣାରେ ନିଜର ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି ଆଇଏମ୍ଏର ପୂର୍ବତନ ସଭାପତି ତଥା ଟିଏମ୍ସି ସାଂସଦ ଶାନ୍ତନୁ ସେନ୍ । କୋଭିଡ୍ ମହାମାରୀ ସମୟରେ ମାସ୍କ, ସାନିଟାଇଜର, ଗ୍ଲୋଭ୍ସ ଏବଂ ପିପିଇ କିଟ୍ ପାଇଁ ଦେବାଞ୍ଜନ ତାଙ୍କୁ ସମ୍ପର୍କ କରିଥିଲେ ବୋଲି ଶାନ୍ତନୁ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଟାକି ହାଉସ୍ରୁ ସିଆଲ୍ଦାହ ଏବଂ ଚାରୁ ଚନ୍ଦ୍ର କଲେଜ୍ ପର୍ଯ୍ୟନ୍ତ ଦେବାଞ୍ଜନଙ୍କ ନକଲି ଟିକା ର୍ୟାକେଟ୍ ସକ୍ରିୟ ରହିଥିଲା ।

Get real time updates directly on you device, subscribe now.