fbpx

ନିର୍ବାଚନରେ ଜିତିବା ପାଇଁ ଚପଲରେ ପିଟା ଖାଇ ନେଲେ ଆଶୀର୍ବାଦ, ଭାଇରାଲ୍ ହେବାରେ ଲାଗିଛି ଭିଡିଓ

ନୂଆଦିଲ୍ଲୀ: ନିର୍ବାଚନରେ ବିଜୟ ହାସଲ ଲାଗି ନେତାମାନେ ସବୁ ପ୍ରକାରର ଉପାୟ ଆପଣାଉଛନ୍ତି । ଭୋଟଦାତାଙ୍କୁ ଆକୃଷ୍ଟ କରିବା ଲାଗି ଗୋଟିଏ ପରେ ଗୋଟିଏ ଲୋଭନୀୟ ପ୍ରତିଶ୍ରୁତି ଦେଉଥିବା ବେଳେ ସମସ୍ତ ପ୍ରାର୍ଥୀ ବ୍ୟକ୍ତିଗତ ସ୍ତରରେ ମଧ୍ୟ ବିଭିନ୍ନ ଉଦ୍ୟମ କରିଥାନ୍ତି । କେହି ମନ୍ଦିରରେ ଯାଇ ଠାକୁରଙ୍କ ପାଖରେ ଗୁହାରୀ କରିଥାଏ ତ ଆଉ କେହି ବାବା ଫକୀରଙ୍କ ଆଶୀର୍ବାଦ ନେଇଥାଏ । ପୁଣି କେହି ଜ୍ୟୋତିଷଙ୍କ ପାଖରେ ନିଜ ଭାଗ୍ୟ ପରଖିଥାଏ । ଏହାରି ମଧ୍ୟରେ ମଧ୍ୟପ୍ରଦେଶ ରତଲାମ ସିଟ୍‌ରୁ କଂଗ୍ରେସ ପ୍ରାର୍ଥୀ ପାରସ ସକଲେଚାଙ୍କର ଏକ ଅଭିନବ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ସକଲେଚାଙ୍କୁ ଜଣେ ଭିକାରୀ ଚପଲରେ ପିଟୁଥିବାର ନଜର ଆସୁଛି ।

ବ୍ୟାପମ୍ ଘୋଟାଲାରେ ସଂପୃକ୍ତ ତଥା ପୂର୍ବତନ ବିଧାୟକ ପାରସ ସକଲେଚା ରତଲାମ ସିଟି ବିଧାନସଭାରୁ କଂଗ୍ରେସ ଟିକଟେରେ ନିର୍ବାଚନ ଲଢୁଛନ୍ତି । ଏହାରି ମଧ୍ୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବୟସ୍କ ବ୍ୟକ୍ତି ତାଙ୍କ ମୁଣ୍ଡକୁ ଚପଲରେ ପିଟୁଛନ୍ତି । ସକଲେଚା ମଧ୍ୟ ବେଶ୍ ଖୁସିରେ ତାଙ୍କ ଠାରୁ ଚପଲରେ ମାଡ ଖାଉଛନ୍ତି । ଏହି ଭିଡିଓଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତେବେ ପ୍ରକୃତ କଥା ହେଉଛି ରତଲାମରେ ବାବା କମାଲ ରଜା ନାମରେ ଜଣେ ଫକୀର ବହୁତ ପ୍ରସିଦ୍ଧ । ସେ ଏଠିକାର ମହୁ ନିମଚ ରୋଡ୍‌୍‌ରେ ପ୍ରାୟ ସମୟ ନଜର ଆସିଥାନ୍ତି । ଏହି ଫକୀର ତାଙ୍କ ପାଖକୁ ଆସୁଥିବା ଲୋକଙ୍କୁ ଚପଲରେ ପିଟି ଆଶୀର୍ବାଦ ଦେଇଥାନ୍ତି । ତାଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ଲୋକମାନେ ନୂଆ ଚପଲ ବି ସାଥିରେ ଧରି ଆସିଥାନ୍ତି । ବାବାଙ୍କ ଆଶୀର୍ବାଦ ଦ୍ୱାରା ଲୋକଙ୍କ ଜୀବନରେ ସଫଳତା ଆସିଥାଏ ଓ କଷ୍ଟ ଦୂର ହୋଇଥାଏ ।

Get real time updates directly on you device, subscribe now.