ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ରାଜ୍ୟ ଶାସନ ଦାୟିତ୍ୱରେ ଥିବା ବିଜେଡି ସରକାର, ଦଳର ନେତା ଓ କର୍ମୀମାନେ କୃଷି ଏବଂ କୃଷକର ବିକାଶକୁ ପ୍ରାଧାନ୍ୟ ଦିଆଯାଉଥିବା କହିଚାଲିଛନ୍ତି । ତେବେ ବାସ୍ତବ କ୍ଷେତ୍ରରେ ରାଜ୍ୟର ଚାଷୀକୂଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ଚକ୍ରବ୍ୟୁହ ଭିତରେ ତଳିତଳାନ୍ତ ହେବାରେ ଲାଗିଛନ୍ତି । ରାଜ୍ୟ ସରକାର ଏପର୍ୟ୍ୟନ୍ତ ଦୁର୍ଦ୍ଦିନରେ ଥିବା ଭାଗଚାଷୀଙ୍କ ସମସ୍ୟାର ସମାଧାନ କରିପାରିନାହାନ୍ତି । ଏଥିରୁ ପ୍ରକୃତ ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା କେତେ ତାହା ବୁଝାପଡେ । ଚାଷୀଙ୍କ ଆୟ ବହୁଗୁଣିତ ହୋଇଥିବା ଯାହା କୁହାଯାଉଛି ତାହା କେବଳ ସରକାରୀ ନଥିପତ୍ରର ପରିସଂଖ୍ୟାନ ବୋଲି କୁହାଯାଇପାରେ । କୃଷି କାର୍ୟ୍ୟରେ ନିୟୋଜିତ ଚାଷୀର ସମସ୍ୟା ସମାଧାନ ଦିଗରେ ମଧ୍ୟ ସରକାର ସେଭଳି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି । ଜଳସେଚନ ହେଉ କି ସାର, ବିହନ ଓ କୀଟନାଶକ ଯୋଗାଣ ହେଉ ସବୁଥିରେ ସରକାରୀ ଅର୍ଥ ତୋଷର ପାତ ଚାଷୀର ଦୁଃଖ ଲାଘବ କରିବାରେ ଅନ୍ତରାୟ ହୋଇପଡିଛି ।
ସରକାରୀ ଅଫିସର ଓ ରାଜନେତାମାନଙ୍କ ଅସାଧୁ ମେଂଟ ଚାଷୀକୁ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ସହ ରାଜ୍ୟ ସରକାରଙ୍କ ସୁସମ୍ପର୍କ ସମସ୍ତେ ଜାଣନ୍ତି । ଉଭୟଙ୍କ ଜାଣତରେ ସରକାରୀ ଯୋଜନା ଅର୍ଥ ବିପୁଳ ପରିମାଣରେ ବାଟମାରଣା ହେଉଥିବା ଅଭିଯୋଗ ହେବାରେ ଲାଗିଛି । ଚଳିତ ଖରିଫ୍ ଚାଷ ପାଇଁ ସାର ଆବଂଟନ ବ୍ୟବସ୍ଥାରେ କେନ୍ଦ୍ରସରକାର ଯେଉଁ ପରିମାଣର ସାର ଯୋଗାଣ ପ୍ରସ୍ତାବ ଦେଇଥିଲେ ତାହା ଆବଶ୍ୟକତା ଠାରୁ କମ ଥିଲେ ମଧ୍ୟ ରାଜ୍ୟ ସରକାର ରାଜି ହୋଇଥିଲେ । ଏବେ ଖରିଫ୍ ଚାଷ ସମୟରେ କେନ୍ଦ୍ର ସରକାର ତିନିମାସ ହେଲା ଆବଶ୍ୟକ ପରିମାଣର ସାର ଦେଉନଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ଚଳିତ ଖରିଫରେ ରାଜ୍ୟ ପାଇଁ ଆବଂଟିତ ୨ ଲକ୍ଷ ୩୧ ହଜାର ୩୫୦ ମେଟ୍ରିକ ଟନ ୟୁରିଆ ବଦଳରେ ୧,୪୫,୧୪୫ ମେଟ୍ରିକ ଟନ ମିଳିଛି । ୨,୧୦,୦୦୦ ମେଟ୍ରିକ ଟନ ୟୁରିଆ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦେଇଥିବା ଯୋଗାଣ ପ୍ରସ୍ତାବରେ ରାଜ୍ୟ ରାଜି ହୋଇଥିଲା । ସେତିକି ମିଳିପାରିନାହିଁ । ସେହିପରି ୧,୫୨,୦୦୦ ମେଟ୍ରିକ ଟନ୍ ଡିଏପି ଜାଗାରେ ୯୭,୭୬୩ ମେଟ୍ରିକ ଟନ୍ ମିଳିଛି । ୧,୪୫,୦୦୦ ମେଟ୍ରିକ ଟନ୍ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର କହିଥିଲା । ସେହିପରି ୬୭, ୨୦୦ ମେଟ୍ରିକ ଟନ୍ ଏମଓପି ସ୍ଥାନରେ ୪୨,୮୬୭ ମିଳିଛି । ଯୋଗାଣ ପ୍ରସ୍ତାବରେ ୬୦ ହଜାର ମେଟ୍ରିକ ଟନ୍ ଥିଲେ । ୧,୬୭,୪୦୦ ମେଟ୍ରିକ ଟନ୍ ଏନପିକେଏସ୍ ସ୍ଥାନରେ ୧,୦୫,୭୯୮ ମେଟ୍ରିକ ଟନ୍ ମିଳିଥିବା ବେଳେ ୧,୪୨,୦୦୦ ମେଟ୍ରିକ ଟନ୍ ଦବାକୁ କେନ୍ଦ୍ର ଯୋଗାଣ ପ୍ରସ୍ତାବ ଦେଇଥିଲା । ମୋଟାମୋଟି ଆବଂଟନରେ ୬୨ ପ୍ରତିଶତ ୟୁରିଆ ମିଳିଥିବା ବେଳେ ଅନ୍ୟ ସାର କ୍ଷେତ୍ରରେ ଏହା ୬୦ ପ୍ରତିଶତ ଓ ୭୪ ପ୍ରତିଶତ ରହିଛି । ଚାଷ କାର୍ୟ୍ୟରେ ଜୁଲାଇ ମଧ୍ୟ ଭାଗରୁ ସେପ୍ଟେମ୍ବର ମାସ ମଧ୍ୟରେ ଅଧିକ ୟୁରିଆ ବ୍ୟବହାର ହେଉଥିବା ବେଳେ ଜୁଲାଇ ଓ ଅଗଷ୍ଟ ଦୁଇମାସ ଅନ୍ୟ ସାର ଆବଶ୍ୟକ ପଡିଥାଏ । ଯଥା ସମୟରେ ସାର ନଆସିଲେ କୃଷି ଉତ୍ପାଦନ ଉପରେ ଏହାର ପ୍ରଭାବ ପଡିବ ।
ଏ ନେଇ ରାଜନୈତିକ ଯାତ୍ରା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଦଳର ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସାର ଯୋଗାଇ ଦେବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ସାର କଳାବଜାର ହେଉଥିବା ଅଭିଯୋଗ ହେଲାଣି । ପ୍ରଦର୍ଶନ କ୍ଷେତ୍ର ପାଇଁ ଆବଶ୍ୟକ କୀଟନାଶକ ଯୋଗାଣ ନେଇ କୃଷିି ଶିଳ୍ପ ନିଗମ ପ୍ରଥମ ଥର ପାଇଁ ଏବର୍ଷ ଅନଲାଇନ ଟେଣ୍ଡର କରିଥିଲା । କୀଟନାଶକ ଯୋଗାଣ କ୍ଷେତ୍ରରେ ଅତିମାତ୍ରାରେ ଅନିୟମିତତା ଯୋଗୁଁ ଏହାକୁ ବନ୍ଦ କରି ରଖାଯାଇଛି । ବଜାରରେ ୫ ଟଙ୍କା ମୂଲ୍ୟରେ ମିଳୁଥିବା ‘ଲିଓର’କୁ ୯୫ ଟଙ୍କାରେ କିଣିବା ନେଇ ଆବେଦନକୁ ଗ୍ରହଣ କରାଯିବା ପରେ ବ୍ୟାପକ ଦୁର୍ନୀତିର ସମ୍ଭାବନା ସୃଷ୍ଟି ହୋଇଥିବାରୁ ଏହାକୁ କାର୍ୟ୍ୟକାରୀ କରାଯାଇପାରିନି । କୃଷି ଶିଳ୍ପ ନିଗମ ଗତ ୫ ବର୍ଷରେ ଯେତେ କୃଷି ସାମଗ୍ରୀ କିଣି ଚାଷୀଙ୍କୁ ଯୋଗାଇଛି ସେସବୁ ଉପରେ ଯୋଗାଣକାରୀ ସଂସ୍ଥା ମନଇଚ୍ଛା ମୂଲ୍ୟ ନେଇଛନ୍ତି । ଏହାର ତଦନ୍ତ ହେବା ଆବଶ୍ୟକ । କୃଷି ନିର୍ଦ୍ଦେଶକ ପଦରେ ୬ ବର୍ଷ ଧରି ଜଣେ ଅପିସର କାର୍ୟ୍ୟ କରିବା ପଛରେ କି ରହସ୍ୟ ରହିଛି ତାହା ସରକାର ସ୍ପଷ୍ଟ କରିବା ଉଚିତ ।
ଧାନ ସଂଗ୍ରହ ଠାରୁ ଆରମ୍ଭକରି ଚାଷୀଙ୍କ ଫସଲ ଋଣ, ସାର, ବିହନ, କୀଟନାଶକ ଓ କୃଷି ଯନ୍ତ୍ରପାତି ଯୋଗାଣ କ୍ଷେତ୍ରରେ ଅସାଧୁ ଅଫିସର ଓ ସଂପୃକ୍ତ ଶାସକ ଦଳର ରାଜନେତାଙ୍କ ସଂପୃକ୍ତି ଚାଷୀକୁ ଅଣନିଃଶ୍ୱାସୀ କରିଛି । ଆବଶ୍ୟକତା ଠାରୁ ବହୁ ଅଧିକ ଧାନ ଓଡିଶାରେ ଉତ୍ପାଦିତ ହେଉଛି । ଧାନକୁ ଛାଡି ଦେଲେ ଆଉ କୌଣସି କୃଷିଜାତ ଦ୍ରବ୍ୟ ଆବଶ୍ୟକ ମୁତାବକ ଉତ୍ପାଦନ ହେଉନାହିଁ । ଏବର୍ଷ ରବି ଋତୁରେ ଧାନ କିଣିବା ପାଇଁ ଚାଷୀମାନେ ଯେଉଁ ହନ୍ତସନ୍ତ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ, ତାହା ସମସ୍ତେ ଜାଣିଛନ୍ତି । ମୋଟାମୋଟି ଭାବରେ କେନ୍ଦ୍ର ଓ ରାଜ୍ୟ ସରକାର ଓଡିଶାର ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଓଡିଶା ସରକାର ଚାଷୀମାନଙ୍କୁ ଓଡିଶାର ଆବଶ୍ୟକତା ଦୃଷ୍ଟିରୁ ଅର୍ଥକାରୀ ଫସଲ ଉତ୍ପାଦନ କରିବା ପାଇଁ ଯୋଜନା ଓ ସାହାଯ୍ୟ କରିବାର ଆବଶ୍ୟକତା ଅଛି । ପ୍ରକୃତରେ ଯଦି ସରକାର ଚାଷୀଙ୍କର ଉନ୍ନତି ଚାହାଁନ୍ତି, ତେବେ ଚାଷୀମାନେ କିପରି ଡାଲି, ତୈଳଜାତୀୟ ଶସ୍ୟ, ପିଆଜ, ଆଳୁ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଅର୍ଥ ଉପାର୍ଜନକାରୀ ଶସ୍ୟ ଉତ୍ପାଦନ କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ । କାଳିଅ ଯୋଜନା ଭଳି ଦାରିଦ୍ର୍ୟ ବଂଟନ କରନ୍ତୁ ନାହିଁ । ୮୦ ପ୍ରତିଶତ ଲୋକଙ୍କୁ ଟଙ୍କିକିଆ ଚାଉଳ ଦିଆଯାଉଥିବା କହି ସରକାର ବାହାବା ନେଉଥିବା ବେଳେ ଅବଶିଷ୍ଟ ୨୦ ପ୍ରତିଶତ ଲୋକଙ୍କୁ ଏହି ଯୋଜନାରେ ସାମିଲ କଲେ ରାଜ୍ୟର ସବୁ ଲୋକେ ଉପକୃତ ହୋଇପାରନ୍ତେ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ଆଇଏଏସ, ଓଏଏସ ଅଫିସର ଯେଉଁ ଚାଉଳ ପାଇବେ ସେଇ ଚାଉଳ ଗରିବ ଲୋକ ପାଖରେ ପହଂଚନ୍ତ । ବଳକା ଚାଉଳ ଖାଦ୍ୟ ନିଗମ ଉଠାଉନଥିବା କହି ସରକାରୀ ଦଳ ଆନ୍ଦୋଳନ କରିବା ପରିସ୍ଥିତି ସୃଷ୍ଟି ହୁଅନ୍ତାନି । ବଳକା ଚାଉଳ ଗୋଦାମରେ ପଡି ନଷ୍ଟ ହେଉଛି । ବାସ୍ତବରେ ଓଡିଶାରେ ଯଦି ଚାଉଳ ବଳକା ହେଉଛି ତେବେ ପଡୋଶୀ ରାଜ୍ୟରୁ ଆସୁଥିବା ପ୍ୟାକେଟ ଚାଉଳ ବିକ୍ରି ହେଉଛି କିପରି । ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଚାଉଳ ଖୋଲା ବଜାରରେ କିପରି ବିକ୍ରି ହେଉଛି । ଏସବୁ ପ୍ରଶ୍ନ ଉପରେ ସରକାର ଉତର ରଖିବାର ଆବଶ୍ୟକତା ରହିଛି ।