fbpx

କୃଷି ଆଇନ ପ୍ରତ୍ୟାହାରକୁ କେନ୍ଦ୍ର କ୍ୟାବିନେଟରେ ମିଳିଲା ମଞ୍ଜୁରୀ, ସଂସଦର ଶୀତ ଅଧିବେଶନରେ ଆଗତ ହେବ ବିଲ୍

ନୂଆଦିଲ୍ଲୀ: ୩ଟି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ଆଜି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । କ୍ୟାବିନେଟ ମଞ୍ଜୁରୀ ପରେ ଏବେ ସଂସଦରେ ଏନେଇ ପ୍ରସ୍ତାବ ଅଣାଯିବ । ପୂର୍ବରୁ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପ୍ରେସମିଟ ଜରିଆରେରେ ସୂଚନା ଦେଇଛନ୍ତି ।

ଶ୍ରୀ ଠାକୁର କହିଛନ୍ତି ଯେ, ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଶୀତକାଳୀନ ଅଧିବେଶନରେ ସରକାର ଏହି ବିଲକୁ ପାରିତ କରିବା ପାଇଁ ବିଧେୟକ ପେସ୍ କରିବେ । ବିଧେୟକ ଆଣିବା ପୂର୍ବରୁ ମନ୍ତ୍ରଣାଳୟ ସଂସଦରେ ଏହି ତିନିଟି କୃଷି ଆଇନକୁ ମିଶାଇ ଗୋଟିଏ ପ୍ରସ୍ତାବ ପ୍ରସ୍ତୁତ କରିବ ଓ ଆଇନ ମନ୍ତ୍ରଣାଳୟକୁ ପଠାଇବ । ଏହାପରେ ଆଇନ ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ ଆଇନର ଦୃଷ୍ଟିକୋଣରୁ ଯାଞ୍ଚ କରିବ । ସରକାରଙ୍କ ଏଥିପାଇଁ ସହମତି ଥିବାରୁ ଏହି ବିଧେୟକକୁ ଆଇନ ମନ୍ତ୍ରଣାଳୟରୁ କ୍ଲିୟରାନ୍ସ ମିଳିବାରେ କୌଣସି ବାଧା ଉପୁଜିବ ନାହିଁ । ଏହାପରେ କୃଷି ମନ୍ତ୍ରଣାଳୟ ଡ୍ରାଫ୍ଟକୁ ଆଧାର କରି ବିଧେୟକ ପ୍ରସ୍ତୁତ କରିବ ଓ ତାହାକୁ ସଂସଦରେ ଉପସ୍ଥାପିତ କରିବ । ଏହାପରେ ବିଲ ଉପରେ ତର୍କ, ଆଲୋଚନା ଓ ଭୋଟିିଂ ହେବ । ବିଲକୁ ଲୋକସଭାର ଭୋଟିଂରେ ଦୁଇତୃତୀୟାଂଶ ମତ ମିଳିବା ପରେ ଏହା ରାଜ୍ୟସଭାରେ ଉପସ୍ଥାପିତ କରାଯିବ । ତା’ପରେ ସେଠାରେ ବିଧେୟକ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ । ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିବା ପରେ ଏହାର ଆଇନ ରଦ୍ଦ ହୋଇଯିବ । ଯଦି ସେଥିରେ କୌଣସି ଆଇନକୁ ବୈଧାନିକ ସଂଶୋଧନ କରାଯିବାକୁ ଥାଏ, ତେବେ ସେଥିପାଇଁ ଦୁଇତୃତୀୟାଂଶ ମତ ଆବଶ୍ୟକ ହୋଇଥାଏ । ସେହିପରି କୌଣସି ବିଧେୟକକୁ ରଦ୍ଦ କରିବାକୁ ହେଲେ ଦୁଇତୃତୀୟାଂଶ ସଦସ୍ୟଙ୍କ ମତ ଦରକାର ହୋଇଥାଏ ବୋଲି ଶ୍ରୀ ଠାକୁର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ୩ଟି କୃଷି ଆଇନକୁ ରଦ୍ଦ କରିବାକୁ ଘୋଷଣା କରିଥିଲେ । ଏଥିସହ ଆନ୍ଦୋଳନରତ କୃଷକଙ୍କୁ ଏଥିରୁ ବିରତ ରହିବାକୁ ଅନୁରୋଧ ମଧ୍ୟ କରିଥିଲେ । ତେବେ ଏହି ପରିପ୍ରେକ୍ଷୀରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ, ସରକାର ଯେହେତୁ ଘୋଷଣା କରିଛନ୍ତି, ସେଥିପାଇଁ ପ୍ରସ୍ତାବ ନିଶ୍ଚିତ ଆଣିବେ । ମାତ୍ର ଏମଏସପି ଓ ୭୦୦ କୃଷକଙ୍କ ମୃତ୍ୟୁ ହେଉଛି ଅସଲ୍ୟ ମୁଦ୍ଦା । ସରକାର ଏହା ଉପରେ ଆଲୋଚନା କରିବା ଦରକାର । ଯଦି ଆସନ୍ତା ଜାନୁଆରୀ ୨୬ ମଧ୍ୟରେ ଏହି ସମସ୍ୟାର ସମାଧାନ ହୁଏ, ତେବେ ଆନ୍ଦୋଳନ ହଟିଯିବ, ନଚେତ୍ ଏହାର ଫଳାଫଳ କେନ୍ଦ୍ର ସରକାରଙ୍କୁ ଭୋଗିବାକୁ ପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି ।

Get real time updates directly on you device, subscribe now.