fbpx

କୃଷକଙ୍କ ପୁଅକୁ ୬୭ ଲକ୍ଷ ପ୍ୟାକେଜରେ ନିଯୁକ୍ତି ଦେଲା ଆମାଜନ୍ କମ୍ପାନୀ

ନୂଆଦିଲ୍ଲୀ: କୁହାଯାଏ ଗରିବର ଘର ସଦାବେଳେ ଅନ୍ଧାର ରହେ ନାହିଁ । କଠିନ ପରିଶ୍ରମ ଓ ଭାଗ୍ୟଦେବୀଙ୍କ କୃପା ହେଲେ ଜଣେ ଲୋକ ଆଜିର ସମାଜରେ ବହୁତ କିଛି ହାସଲ କରିପାରିବ । ଏପରି କିଛି ଚମତ୍କାରିତା ଘଟିଛି ଜଣେ କୃଷକଙ୍କ ପୁଅ ସହିତ । ଜଣେ କୃଷକଙ୍କ ପୁଅକୁ ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଲକ୍ଷ ଲକ୍ଷ ଟଙ୍କାର ମେଗା ପ୍ୟାକେଜରେ ନିଯୁକ୍ତି ପ୍ରଦାନ କରିଛି । ଏହି ଖବରକୁ ନେଇ ବର୍ତ୍ତମାନ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଆତ୍ମବିଶ୍ୱାସ, ଦୃଢ଼ ଅଧ୍ୟବସାୟ, ପରିଶ୍ରମ ବଳରେ ଯେ ସଫଳତାର ଉଚ୍ଚତମ ଶୃଙ୍ଗକୁ ସ୍ପର୍ଶ କରିହେବ ଏକଥା ଗରିବ କୃଷକଙ୍କ ପୁତ୍ର ପ୍ରମାଣିତ କରିଛନ୍ତି ।

ଅଭନିଶ ଛିକାରା ନାମକ ଜଣେ ଗରିବ ପରିବାରର ଯୁବକ ଏହି ସଫଳତା ହାସଲ କରି ଏବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭନିଶ୍ ପ୍ରସିଦ୍ଧ ବହୁରାଷ୍ଟ୍ରୀୟ କମ୍ପାନୀ ଆମାଜନରେ ବାର୍ଷିକ ୬୭ ଲକ୍ଷ ଟଙ୍କା ବେତନରେ ନିଯୁକ୍ତି ପାଇଛନ୍ତି । ୨୨ ବର୍ଷୀୟ ଅଭନିଶ୍ ହରିୟାଣାର ସୋନିପତରେ ଜନ୍ମଗ୍ରହଣ କରିଥିବା ବେଳେ ଦୀନବନ୍ଧୁ ଛୋଟୁ ରାମ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରୁ ବି.ଟେକ୍ କରିଥିଲେ । ତେବେ ଆମାଜାନରେ ଜବ୍ ପାଇବା ପୂର୍ବରୁ ସେ ପ୍ରଥମେ ଜଣେ ଇଣ୍ଟର୍ଣ୍ଣ ଭାବେ କାର୍ଯ୍ୟ କରି ମାସକୁ ୨.୪ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ସେ ପାଠପଢ଼ା ସମୟରେ ଅନ୍ୟ ଛାତ୍ରମାନଙ୍କୁ ଟ୍ୟୁସନ ପଢ଼ାଇ ନିଜର ଗ୍ରାଜୁଏସନ୍ ଡିଗ୍ରୀ ସମାପ୍ତ କରିଥିଲେ । ଇଞ୍ଜିନିୟରିଂ କୋଚିଂରୁ ଫେରିବା ପରେ ମଧ୍ୟ ସେ ଦିନକୁ ୧୦ ଘଣ୍ଟା ପରିଶ୍ରମ କରି ନିଜର ସ୍ୱପ୍ନକୁ ପୂରଣ କରିବା ଦିଗରେ ଅଗ୍ରସର ହେଉଥିଲେ ।
ଅଭନିଶଙ୍କର ଇଣ୍ଟର୍ଣ୍ଣସିପ୍ ସମାପ୍ତ ହେବା ପରେ ପରେ ସେ ଆମାଜନ କମ୍ପାନୀରେ ଜବ୍ ଅଫର ପାଇଥିଲେ । ଆସନ୍ତା କିଛି ବର୍ଷରେ ମଧ୍ୟରେ ଏହି ପ୍ୟାକେଜ୍ ବୃଦ୍ଧି ପାଇ ୧ କୋଟିରେ ପହଞ୍ଚିବ ବୋଲି ଅଭନିଶ୍ କହିଛନ୍ତି । ୟୁନିଭରସିଟି ଫି’ ଭରିବା ପାଇଁ ଅର୍ଥ ବାଧକ ସାଜିଥିଲେ ମଧ୍ୟ ସେ ଏହାକୁ କଷ୍ଟରେ ହୋମ୍ ଟ୍ୟୁସନ କରି ସମ୍ଭାଳି ନେଇଥିଲେ । ତାଙ୍କର ଏହି ସଫଳତା ଅନ୍ୟ ଗରିବ ପିଲାମାନଙ୍କୁ ଭବିଷ୍ୟତରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ଆଶା ରଖିଥିବା ଅଭନିଶ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.