ସାଂଘାତିକ ଅଭିଯୋଗ, “ଅଙ୍ଗନବାଡ଼ି ଛତୁଆ ଖାଇ ୨ ଶିଶୁକନ୍ୟାଙ୍କ ମୃତ୍ୟୁ” !

ମୃତକଙ୍କ ପରିବାର ଆଣିଲେ ସାଂଘାତିକ ଅଭିଯୋଗ। ଅଙ୍ଗନବାଡି ଛତୁଆ ଖାଇ ୨ ନାବାଳିକା ଶିଶୁକନ୍ୟାଙ୍କର ମୃତ୍ୟୁ ଅଭିଯୋଗ। ଏବେବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୨ ଜଣ।

ଗଜପତି: ଅଙ୍ଗନବାଡ଼ି ନାଁରେ ଆସିଲା ସାଂଘାତିକ ଅଭିଯୋଗ। ଅଙ୍ଗନବାଡ଼ି ଛତୁଆ ଖାଇ ୨ ନାବାଳିକା ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ନେଇ ହୋଇଛି ଅଭିଯୋଗ। ଛତୁଆ ଖାଇବା ପରେ ଅସୁସ୍ଥ ହୋଇ ପଡିଥିଲେ ଗୋଟିଏ ପରିବାରର ୪ ଜଣ ସଦସ୍ୟ।

ବାପାଙ୍କ ସମେତ ୩ ଜଣ ଝିଅ ଛତୁଆ ଖାଇବାପରେ ଅସୁସ୍ଥ ହୋଇ ପଡିଥିଲେ। ପରେ ହସ୍ପିଟାଲରେ ପହଞ୍ଚିବା ପରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ, ଆଉ ଜଣଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଏବେବି ବାପା ଓ ବଡ଼ ଝିଅ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଛତୁଆ ଖାଇ ମୃତ୍ୟୁ: ତେବେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ରାମଗିରି ଗାଁରେ। ଗୁରିବାର ଦିନ ଅଙ୍ଗନବାଡିରୁ ଛତୁଆ ଆଣିଥିଲେ ପରିବାର ଲୋକେ। ଏବଂ ଗତକାଲି ଅପରାହ୍ନରେ ସମସ୍ତେ ମିଶି ଛତୁଆ ଖାଇଥିଲେ।

ହଠାତ୍ ବାପାଙ୍କ ସମେତ ୪ ଜଣ ଅସୁସ୍ଥ ହୋଇ ପଡିଲେ। ପେଟ ଯନ୍ତ୍ରଣାରେ ଛଟପଟ ହେଲେ। ତେଣୁ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ରାମଗିରି ହସ୍ପିଟାଲ ଏବଂ ପାରଳାଖେମୁଣ୍ଡି ହସ୍ପିଟାଲରେ ୨ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ବାପା ଏବଂ ଅନ୍ୟଜଣେ ଝିଅ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।

ବାପାଙ୍କ ଅଭିଯୋଗ: ତେବେ ଏହି ମୃତ୍ୟୁ ଘଟଣାକୁ ନେଇ ମୃତକଙ୍କ ବାପା ଅର୍ଥାତ୍ ପୀଡିତ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି କି- ଅଙ୍ଗନବାଡି ଛତୁଆ ଖାଇବା ପରେ ସେମାନଙ୍କ ଦେହ ଖରାପ ହୋଇଛି। କାରଣ ଛତୁଆ ଛଡ଼ା ସେମାନେ ଆଉ କିଛି ଖାଇନାହାନ୍ତି।

ତେବେ କାହିଁକି ଏବଂ କେଉଁଭଳି ପରିସ୍ଥିତିରେ ଘଟିଲା ଏପରି ଅଘଟଣ ସେନେଇ ସ୍ପଷ୍ଟ ହୋଇପାରୁନାହିଁ। କିନ୍ତୁ ସୂଚନାନୂସାରେ, ହେମାକୁଡିଆ ଗାଁର ଅର୍ଜୁନ ପଦମୁଣ୍ଡିଙ୍କ ପରିବାର ଗତକାଲି ଅପରାହ୍ନରେ ଛତୁଆ ଖାଇଥିଲେ। ଏହାପରେ ପରେ ଅର୍ଜୁନଙ୍କ ସମେତ ୪ ଜଣ ଗୁରୁତର ହେବାପରେ  ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କୁ ପ୍ରଥମେ ଭର୍ତ୍ତି କରାଯାଇଥିଲା।

ସନ୍ଧ୍ୟାରେ ଜଣେ ଶିଶୁକନ୍ୟାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ୩ ଜଣଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମୃତକ ନାବାଳିକାଙ୍କ ମଧ୍ୟରୁ ଜଣଙ୍କର ବୟସ ୩ ବର୍ଷ ଓ ଅନ୍ୟଜଣଙ୍କର ବୟସ ୬ ବର୍ଷ ବୋଲି ସୂଚନା ମିଳିଛି।