fbpx

FIH ପୁରୁଷ ହକି ବିଶ୍ୱକପ୍ ଫାଇନାଲ୍: ଆଜି ବେଲ୍ଜିୟମ୍-ଜର୍ମାନୀ ମହା ମୁକାବିଲା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): କିଏ ଜିତିବ ବିଶ୍ୱକପ୍? ଏ ନେଇ ହକି ପ୍ରେମୀଙ୍କ ମଧ୍ୟରେ ଲାଗି ରହିଛି ଉତ୍କଣ୍ଠା। ଚଳିତ ପୁରୁଷ ହକି ବିଶ୍ୱକପ୍ ଟାଇଟଲ ପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ରେ ରବିବାର ଅନୁଷ୍ଠିତ ହେବ ଜର୍ମାନୀ-ବେଲ୍ଜିୟମ୍ ମହା ମୁକାବିଲା । ବିଶ୍ୱର ଏହି ଦୁଇ ଶକ୍ତିଶାଳୀ ଦଳ ମୁକାବିଲା ଉପଭୋଗ କରିବା ପାଇଁ ଅଗଣିତ ହକି ପ୍ରେମୀ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଉଭୟ ଦଳର ଶକ୍ତି ବରାବର ଥିବାରୁ ଫାଇନାଲ ମ୍ୟାଚ୍ ରେ କିଏ ଜିତାପଟ୍ ମାରିବ ତାହା ଆକଳନ କରିବା ଅସମ୍ଭବ । କାରଣ ସେମି ଫାଇନାଲ୍ ରେ ଅନ୍ୟ ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ୍କୁ ହରାଇ ଏହି ଦୁଇ ଦଳ ଫାଇନାଲ ଖେଳିବା ସୁଯୋଗ ସୃଷ୍ଟି କରିଛନ୍ତି ।

ତେଣୁ ଦୁଇ ଦଳ ଟାଇଟଲ ହାସଲ ପାଇଁ ଜୋରଦାର ସଂଘର୍ଷ କରିବାକୁ ପଡିବ । ତେଣୁ ଏହି ମ୍ୟାଚ୍ ନିଶ୍ଚିତ ଆକର୍ଷଣୀୟ ଓ ଉପଭୋଗ୍ୟ ହେବ ବୋଲି ଅନୁମାନ । ତେବେ କଳିଙ୍ଗ ଷ୍ଟାଡିୟମ ବେଲ୍ଜିୟମ୍ ପାଇଁ ପୁଣି ଥରେ ଭାଗ୍ୟବାନ ସାବ୍ୟସ୍ତ ହେବ କି ନାହିଁ ତାହା ଅପେକ୍ଷାର ବିଷୟ । ଚାରି ବର୍ଷ ତଳେ କଳିଙ୍ଗ ଷ୍ଟାଡିୟମ୍ ରେ ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ନେଦରଲାଣ୍ଡ୍ସକୁ ହରାଇ ବେଲଜିୟମ୍ ଟାଇଟଲ ହାସଲ କରିଥିଲା । ତେଣୁ ପୁଆଉ ଏକ ଫାଇନାଲ ଖେଳିବା ସୁଯୋଗ ପାଇଥିବାରୁ ବେଲଜିୟମ୍ କ୍ରମାଗତ ଟାଇଟଲ ହାସଲ କରି ନୂଆ ଇତିହାସ ରଚିବା ପାଇଁ ବରାବର ଚେଷ୍ଟା କରିବ ।

ସୂଚନାଯୋଗ୍ୟ ଯେ, ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ରେ ବେଲଜିୟମ୍ କେବଳ ଗୋଟିଏ ଥର ଚାମ୍ପିଅନ ହୋଇଥିବାବେଳେ ଆଉ କୌଣସି ବିଶ୍ୱକପ ରେ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନ ମଧ୍ୟ ପାଇନାହିଁ । ମାତ୍ର ଜର୍ମାନୀ ଏକ ସଫଳ ଦଳ ଭାବେ ବିଶ୍ୱକପ୍ ରେ ଏକାଧିକବାର ନିଜର ଶକ୍ତି ପ୍ରଦର୍ଶନ କରି ପାରିଛି । ପୂର୍ବରୁ ଜର୍ମାନୀ ବିଭାଜନ ହୋଇ ପଶ୍ଚିମ ଜର୍ମାନୀ ଓ ପୂର୍ବ ଜର୍ମାନୀ ଭାବେ ପରିଚିତ ଥିଲେ । ପଶ୍ଚିମ ଜର୍ମାନୀ ୧୯୭୩, ୧୯୭୫ ଓ ୧୯୮୬ ବିଶ୍ୱକପ୍ ରେ ତୃତୀୟ ସ୍ଥାନ ପାଇଥିବା ବେଳେ ୧୯୮୨ରେ ଦ୍ୱିତୀୟ ସ୍ଥାନ ପାଇଥିଲା । ମାତ୍ର ଦୁଇ ଜର୍ମାନୀର ମିଶ୍ରଣ ହେବା ପରେ ୨୦୦୨ ଓ ୨୦୦୬ରେ ଟାଇଟଲ ହାସଲ କରିଥିବା ବେଳେ ୨୦୧୦ ବିଶ୍ୱକପ୍ ରେ ଦ୍ୱିତୀୟ ଓ ୧୯୯୮ରେ ବିଶ୍ୱକପ୍ ରେ ତୃତୀୟ ସ୍ଥାନ ପାଇଥିଲା । ତେଣୁ ୨୦୧୦ ପରେ ପୁଣି ଥରେ ଜର୍ମାନୀ ବିଶ୍ୱକପ୍ ଫାଇନାଲ ଖେଳିବା ସୁଯୋଗ ପାଇଛି । ଏଥିରେ ସଫଳ ହେଲେ ତୃତୀୟ ଥର ପାଇଁ ଟାଇଟଲ ହାସଲ କରିବ । ସେମି ଫାଇନାଲ୍ ରେ ୩ଥର ଚାମ୍ପିଅନ ତଥା ବିଶ୍ୱର ୧ନଂ ମାନ୍ୟତାପ୍ରାପ୍ତ ଅଷ୍ଟ୍ରେଲିଆକୁ ହରାଇ ଥିବାରୁ ଟାଇଟଲ ଲଢ଼େଇରେ ନିଶ୍ଚିତ ଜୋରଦାର ମୁକାବିଲା କରିବ । ସେହିପରି ୩ଥର ଚାମ୍ପିଅନ ଓ ୪ଥର ଦ୍ୱିତୀୟ ସ୍ଥାନ ଏବଂ ୨ଥର ତୃତୀୟ ସ୍ଥାନ ପାଇଥିବା ନେଦରଲାଣ୍ଡ୍ସକୁ ସେମି ମୁକାବିଲାରେ ବେଲଜିୟମ୍ ହରାଇ ଥିବାରୁ ଫାଇନାଲ୍ରେ ମଧ୍ୟ ଜର୍ମାନୀକୁ କଡା ଟକ୍କର ଦେବା ପାଇଁ ମାନସିକ ପ୍ରସ୍ତୁତି ଭିତରେ ରହିଛି ।

ଜର୍ମାନୀ ଦଳ କୋଚ୍ ହେନିଂ କହିଛନ୍ତି ଯେ, ଫାଇନାଲ୍ ରେ ସଫଳ ହେବା ପାଇଁ କଡା ଚାଲେଞ୍ଜ୍ ର ସମ୍ମୁଖୀନ ହେବାକୁ ପଡିବ । କାରଣ ବେଲଜିୟମ୍ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇପାରିଛି । ତଥାପି ଜର୍ମାନୀ ଚିରାଚରିତ ଶକ୍ତିକୁ ଆଧାର କରି ଲଢ଼ିଲେ ନିଶ୍ଚିତ ଟାଇଟଲ ଆଶା କରାଯାଇ ପାରିବ ।

ସେହିପରି ବେଲଜିୟମ୍ ମଧ୍ୟ ପୁଣି ଥରେ କଳିଙ୍ଗ ଷ୍ଟାଡିୟମ୍ ରେ ବିଜୟ ଧ୍ୱଜା ଉଡାଇବା ଲକ୍ଷ୍ୟ ରଖିଛି । ତେଣୁ ହକି ପ୍ରେମୀମାନେ ଦୁଇ ଶକ୍ତିଶାଳୀ ତଥା ଟାଇଟଲ ଫେବରିଟ୍ ଦଳ ମଧ୍ୟରେ ହେବାକୁ ଥିବା ମହା ମୁକାବିଲା ଉପଭୋଗ କରିବା ସୁଯୋଗ ପାଇବେ । ରବିବାର ଫାଇନାଲ ପୂର୍ବରୁ ସେମି ଫାଇନାଲ୍ ରେ ପରାଜିତ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ଲଢ଼େଇ ହେବ ।

Get real time updates directly on you device, subscribe now.