ଓଡ଼ିଶା ଭାସ୍କର: ଆମ ଶରୀରର ଦୈନନ୍ଦିନ ଜୀବନଶୈଳୀ ଆମର ଆୟୁ ଉପରେ ଖୁବ ପ୍ରଭାବ ପକାଇଥାଏ । ଯାହା ଦ୍ୱାରା ଶରୀରର ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରେ । ତେବେ ଏଥିରେ ଖାଦ୍ୟପେୟ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି । ଦିନର କେବଳ ନିର୍ଦ୍ଦିଷ୍ଟ ସମୟରେ ଖାଦ୍ୟ ଖାଇଲେ ଏହାକୁ ମଧ୍ୟବର୍ତ୍ତୀ ଉପବାସ ବୋଲି କୁହାଯାଇଥାଏ । ନିକଟ ଅତୀତରେ ଏହାର ଲୋକପ୍ରିୟତା ବଢିଛି । କିନ୍ତୁ ବର୍ତ୍ତମାନ ଏକ ନୂତନ ଅଧ୍ୟୟନରୁ ଆଶ୍ଚର୍ୟ୍ୟଜନକ କଥା ଜଣାପଡିଛି ଯେ ଏହାକୁ ନେଇ ସତର୍କ ହେବାର ସମୟ ଆସିଛି, ଏହା ଜାଣିବାକୁ ମିଳିଛି ଯେ କେତେକ ମଧ୍ୟବର୍ତ୍ତୀ ଉପବାସରେ ହୃଦଘାତରେ ମୃତ୍ୟୁ ହେବାର ସମ୍ଭାବନା ଅଧିକ । ସୋମବାର ଚିକାଗୋରେ ଥିବା ଏକ ଆମେରିକୀୟ ହାର୍ଟ ଆସୋସିଏସନ ବୈଠକରେ ଏହି ଅନୁସନ୍ଧାନଗୁଡିକ ଉପସ୍ଥାପିତ ହୋଇଥିଲା ଏବଂ ମଧ୍ୟବର୍ତ୍ତୀ ଉପବାସର ଏକ ଲୋକପ୍ରିୟ ସଂସ୍କରଣ ଉପରେ ଧ୍ୟାନ ଦିଆଯାଇଥିଲା ଯାହାକି ଆପଣଙ୍କର ସମସ୍ତ ଖାଦ୍ୟକୁ ମାତ୍ର ୮ଘଣ୍ଟା କିମ୍ବା ତା’ଠାରୁ କମ ସମୟ ମଧ୍ୟରେ ଖିଆଯାଇଥାଏ । ଫଳସ୍ୱରୂପ ଅତି କମରେ ଦୈନିକ ୧୬ଘଣ୍ଟା ଉପବାସ, ସାଧାରଣତଃ ଏହାକୁ ଟାଇମ ରେଷ୍ଟ୍ରିକଟେଡ ଇଟିଙ୍ଗ ବୋଲି କୁହାଯାଏ ।
ଏହି ଅଧ୍ୟୟନରେ ସମଗ୍ର ଯୁକ୍ତରାଷ୍ଟ୍ରରେ ୨୦,୦୦୦ ବୟସ୍କ ବ୍ୟକ୍ତିଙ୍କ ଖାଦ୍ୟପେୟ ଅଭ୍ୟାସ ଉପରେ ତଥ୍ୟ ବିଶ୍ଳେଷଣ କରାଯାଇଥିଲା ଏହି ତଥ୍ୟ ୨୦୦୩ରୁ ୨୦୧୮ ପର୍ୟ୍ୟନ୍ତ ସଂଗ୍ରହ କରାଯାଇଥିଲା । ଯେଉଁମାନେ ପ୍ରତ୍ୟେକ ଦିନ ୧୨ ରୁ ୧୬ ଘଣ୍ଟା ମଧ୍ୟରେ ସେମାନଙ୍କ ଖାଦ୍ୟ ଖାଇବାର ଏକ ପାରମ୍ପାରିକ ଖାଦ୍ୟପେୟ ଅନୁସରଣ କରିଥିଲେ । ସେମାନଙ୍କ ତୁଳନାରେ ଯେଉଁମାନେ ୮ ଘଣ୍ଟା ଖାଇବା ଯୋଜନା ପାଳନ କରୁଥିଲେ ସେମାନଙ୍କର ହୃଦଘାତରେ ମୃତ୍ୟୁ ହେବାର ଆଶଙ୍କା ୯୧ ପ୍ରତିଶତ ଅଧିକ । ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ ଏହି କ୍ରମାଗତ ବିପଦ ସେହି ଲୋକମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ, ଯେଉଁମାନେ ପୂର୍ବରୁ ଏକ କ୍ରନିକ ରୋଗ କିମ୍ବା କର୍କଟ ରୋଗରେ ପୀଡିତ ଥିଲେ । ହୃଦରୋଗରେ ଆକ୍ରାନ୍ତ ବ୍ୟକ୍ତି, ଯେଉଁମାନେ ସମୟ ସୀମିତ ଖାଇବା ପଦ୍ଧତିକୁ ଅନୁସରଣ କରିଥିଲେ, ହୃଦଘାତ କିମ୍ବା ଷ୍ଟ୍ରୋକରେ ମୃତ୍ୟୁ ହେବାର ଆଶଙ୍କା ୬୬ ପ୍ରତିଶତ ଅଧିକ ଥିଲା । ଯେଉଁମାନେ ଏହି ସମୟରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ, ଯଦି ସେମାନେ ଦିନକୁ ଅତି କମରେ ୧୬ ଘଣ୍ଟା ଖାଇବା ସମୟ ଅନୁସରଣ କରୁଥିବା କର୍କଟ ରୋଗୀଙ୍କ ତୁଳନାରେ ସୀମିତ ସମୟର ଖାଦ୍ୟ ଖାଇବା ପଦ୍ଧତି ଅନୁସରଣ କରନ୍ତି ତେବେ ଏହି ରୋଗରେ ମତ୍ୟୁ ହେବାର ସମ୍ଭାବନା ଅଧିକ ।
ଅଧ୍ୟୟନ ଫଳାଫଳରୁ ଜଣାପଡିଛି ଯେ ଯେଉଁମାନେ ଦୀର୍ଘ ସମୟ ଧରି ମଧ୍ୟବର୍ତ୍ତୀ ଉପବାସ ଅଭ୍ୟାସ କରନ୍ତି, ବିଶେଷକରି ହୃଦଘାତ କିମ୍ବା କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଅତ୍ୟଧିକ ସତର୍କ ହେବା ଉଚିତ୍ ବୋଲି ଏପିଡେମୋଲୋଜି ଏବଂ ବାୟୋଷ୍ଟାଟିଷ୍ଟିକ ବିଭାଗର ମୁଖ୍ୟ ଲେଖକ ତଥା ଭିକ୍ଟର ୱେଞ୍ଜେ ଜୋଙ୍ଗ କହିଛନ୍ତି । ଯେ କି ଚାଇନାର ସାଂଘାଇ ଜିଆଓ ଟୋଙ୍ଗ ୟୁନିଭରସିଟି ସ୍କୁଲ ଅଫ ମେଡିସିନରେ କାର୍ୟ୍ୟରତ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ପ୍ରମାଣକୁ ଭିତ୍ତି କରି ଲୋକମାନେ ଯାହା ଖାଉଛନ୍ତି ତାହା ଉପରେ ଧ୍ୟାନ ଦେବା ଅପେକ୍ଷା ସେମାନେ କେଉଁ ସମୟରେ ଖାଉଛନ୍ତି ତାହା ଉପରେ ଧ୍ୟାନ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ ମନେହୁଏ ।