fbpx

OTTପ୍ଲାଟ୍‌ଫର୍ମରେ ପ୍ରସାରିତ ହିନ୍ଦୀ ଶଟ ଫିଲ୍ମରେ ମହାପ୍ରଭୁଙ୍କୁ ଅସମ୍ମାନ, ନିର୍ଦ୍ଦେଶିକାଙ୍କ ନାମରେ ଥାନାରେ ଏତଲା

ଭୁବନେଶ୍ୱର: ମହାପ୍ରଭୁଙ୍କୁ ଅସମ୍ମାନ । ନିର୍ଦ୍ଦେଶିକାଙ୍କ ନାମରେ ଥାନାରେ ରୁଜୁ ହେଲା ମାମଲା । ଓଟିଟି ପ୍ଲାଟ୍‌ଫର୍ମ ଡିଜିନି ପ୍ଲସ୍ ହଟ୍ ଷ୍ଟାରରେ ପ୍ରସାରିତ ହିନ୍ଦୀ ଶଟ ଫିଲ୍ମ ‘ ମିଆଁ ବିବି ଔର ବାନାନାରେ ଜଗତର ନାଥ ଜଗନ୍ନାଥଙ୍କୁ ଅସମ୍ମାନିତ କରାଯାଇଛି । ଏହି ମର୍ମରେ ବ୍ୟାସନଗର ଭୋକେଶନାଲ କଲେଜର ଅଧ୍ୟାପକ ଦେବୀ ପ୍ରସାଦ ଦାସ ଯାଜପୁର ରୋଡ୍ ଥାନାର ସିଟିଜେନ ପୋର୍ଟାଲରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ୨୦ ମିନିଟ ଅବଧି ବିଶିଷ୍ଟ ‘ ମିଆଁ ବିବି ଔର ବାନାନା ’ ଏକ କମେଡି ଫିଲ୍ମ ଯାହା ୨୦୧୯ରେ ରିଲିଜ୍ ହୋଇଥିଲା । ନୀନା ଶ୍ରୀବାସ୍ତବ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ଫିଲ୍ମଟି ସାନିଟାରୀ ନାପ୍‌କିନ ଉପରେ ଆଧାରିତ ହୋଇଛି ।

ତେବେ ଏହି ଚଳଚିତ୍ରରେ ଏକ ମଶାର ନାମକୁ ଜଗନ୍ନାଥ ରଖାଯାଇଛି । ଏପରି କି ଷ୍ଟୋରୀକୁ ବର୍ଣ୍ଣନା କରୁଥିବା ଜଣେ ମହିଳା ନିଜକୁ ଜଗନ୍ନାଥଙ୍କ ବିଧବା ନାରାୟଣୀ ଭାବେ ପରିଚୟ ଦେଉଛନ୍ତି । ଏହି ଷ୍ଟୋରୀରେ ଯେଉଁସବୁ ସଂଳାପ ରହିଛି ସେଗୁଡ଼ିକ ଅତ୍ୟନ୍ତ ଅସହ୍ୟନିୟ । ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା । ଏଭଳି ଉଚ୍ଚାରଣ ସାରା ଓଡ଼ିଶା ଏବଂ ବିଶ୍ବବାସୀଙ୍କ ଭାବନାକୁ କୁଠାରଘାତ କରିଛି । ଆମ୍ଭର ଭଗବାନଙ୍କୁ ଏପରି ଭାବେ ଅସମ୍ମାନ ଦେବା କାହାରି ଅଧିକାର ନାହିଁ ବୋଲି ଦାସ ନିଜର ଅଭିଯୋଗରେ ଦର୍ଶାଇବା ସହ ସମ୍ପୃକ୍ତ ଫିଲ୍ମର ନିର୍ଦ୍ଦେଶିକା ଶ୍ରୀବାସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଯଦି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ସେ ଅଦାଲତଙ୍କ ଦ୍ବାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି । ଏ ସମ୍ପର୍କରେ ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ସେଭଳି ଅଭିଯୋଗ ଉପରେ କୌଣସି ମାମଲା କିମ୍ବା ଡାଏରୀ ନାହିଁ ବୋଲି ହୋଇପାରେ କହିଛନ୍ତି।

Get real time updates directly on you device, subscribe now.