ନୂଆଦିଲ୍ଲୀ: ଭାରତରେ କରୋନାର ଓମିକ୍ରନ-ସବ-ଭାରିଆଣ୍ଟ XEର ପ୍ରଥମ ମାମଲା ସ୍ପଷ୍ଟ ହୋଇଛି । ତେବେ ଏହା ପୂର୍ବରୁ ମହାରାଷ୍ଟ୍ର ଓ ଗୁଜୁରାଟରୁ ଏକ୍ସଇ ଭାରିଆଣ୍ଟର ୨ଟି ଅନିଶ୍ଚିତ ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ ପ୍ରଥମଥର ପାଇଁ ଭାରତୀୟ SARS-CoV2 ଜେନୋମିକ୍ସ ସିକ୍ୱେନ୍ସିଂ କନ୍ସୋର୍ଟିୟମ୍ (INSACOG) ଦ୍ୱାରା ଏକ୍ସଇ ଭାରିଆଣ୍ଟ ସ୍ପଷ୍ଟ ହୋଇଛି ।
INSACOG ହେଉଛି ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ନ୍ୟାସନାଲ ଟେଷ୍ଟିଂ ଲାବୋରେଟୋରୀର ଏକ ନେଟୱାର୍କ । ବିଶେଷଜ୍ଞମାନେ କହିଛନ୍ତି ଯେ, ଏକ୍ସଇ ସବ୍-ଭାରିଆଣ୍ଟରେ ସୃଷ୍ଟି ହୋଇଥିବା କୋଭିଡ ସଂକ୍ରମଣ ଅନ୍ୟ ଭାରିଆଣ୍ଟ ତୁଳନାରେ ଅଲଗା କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଏହା ପ୍ରମାଣିତ ହୋଇନି ।
ଜଣେ ସରକାରୀ ଅଧିକାରୀ କହିଛନ୍ତି, ଦେଶରେ ବର୍ତ୍ତମାନ ସୁଦ୍ଧା କମ୍ ରେକମ୍ବିନାଣ୍ଟ ପ୍ରକାର ଚିହ୍ନଟ ହୋଇଛି । କିନ୍ତୁ ଏକ୍ସଇ ନମୂନା କେଉଁଠାରୁ ନିଆଯାଇଛି ବୋଲି କୌଣସି ଅଧିକାରୀ ସୂଚନା ଦେଇନାହାନ୍ତି । ଏହା ସହ ନୂଆ ମାମଲା ସ୍ପଷ୍ଟ ହେବା ପରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।