fbpx

କରୋନାକୁ ମାତ୍‌ ଦେବ ନାଜାଲ ସ୍ପ୍ରେ, ବ୍ୟବହାର ୪୮ ଘଣ୍ଟାରେ ୯୯ ପ୍ରତିଶତ କମିବ ଭୂତାଣୁ

ନୂଆଦିଲ୍ଲୀ : କରୋନା ମହାମାରୀ ସାରା ବିଶ୍ୱକୁ କଲବଲ କରିସାରିଲାଣି । ସବୁଠି ହାହାକାର ପରିସ୍ଥିତି । ଯଦିଓ ତୃତୀୟ ଲହର କମୁଛି ତେବେ ପୁଣି ଆଗକୁ ନୂଆ ଭାରିଆଣ୍ଟ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏବେ ଏହି ମାରାତ୍ମକ ଭାଇରସକୁ ମାତ୍‌ ଦେବାପାଇଁ ପ୍ରସ୍ତୁତ ହୋଇଛି ନାଜାଲ ସ୍ପ୍ରେ । ଟିକା ଏବଂ ଔଷଧ ପରେ ଭାରତୀୟ ବଜାରରେ ଫାବି ସ୍ପ୍ରେ ନାମକ ନାଜାଲ ସ୍ପ୍ରେ ଲଞ୍ଚ ହୋଇଛି ।

ମୁମ୍ବାଇସ୍ଥିତ ଗ୍ଲୋବାଲ ଫାର୍ମା କମ୍ପାନୀ କରୋନାରେ ଆକ୍ରାନ୍ତ ହୋଇଥିବା ବୟସ୍କ ରୋଗୀଙ୍କ ପାଇଁ କାନାଡାର ଏକ କମ୍ପାନୀର ସହାୟତାରେ ଏହି ନାଜାଲ ସ୍ପ୍ରେ ପ୍ରସ୍ତୁତ କରିଛି । ଏହା ଭାରତର ପ୍ରଥମ ନାଇଟ୍ରିକ୍‌ ଅକ୍‌ସାଇଡ ନାଜାଲ ସ୍ପ୍ରେ । କରୋନାରେ ଆକ୍ରାନ୍ତ ହେବାପରେ ଯେଉଁମାନେ ଗୁରୁତର ହେବାର ଆଶଙ୍କା ରହିଛି ସେମାନଙ୍କ ପାଇଁ ଏହି ସ୍ପ୍ରେ କାମ ଦେବ । ଏହି ନାଜାଲ ସ୍ପ୍ରେର ବିକ୍ରି ଲାଗି ଡିସିଜିଆଇ ଅନୁମତି ପ୍ରଦାନ କରିଛନ୍ତି । ଏହି ଔଷଧକୁ ନାକ ଭିତରେ ସ୍ପ୍ରେ କରାଯିବ । ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ଏହା ୨୪ ଘଣ୍ଟାରେ ୯୪ ପ୍ରତିଶତ ଓ ୪୮ ଘଣ୍ଟାରେ ୯୯ ପ୍ରତିଶତ ଭୂତାଣୁ ହ୍ରାସ କରୁଥିବା ପରୀକ୍ଷାରୁ ଜଣାପଡ଼ିଛି । ନିରାପଦ ସାବ୍ୟସ୍ତ ହୋଇଥିବା ଏହି ନାଜାଲ ସ୍ପ୍ରେକୁ କରୋନା ରୋଗୀମାନେ ଭଲଭାବେ ସହ୍ୟ କରିପାରୁଛନ୍ତି । ଫାବି ସ୍ପ୍ରେ ବ୍ରାଣ୍ଡ ନାମରେ ଗ୍ଲେନମାର୍କ ଏହାକୁ ବଜାରରେ ବିକ୍ରି କରିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ନାଇଟ୍ରିକ ଅକ୍‌ସାଇଡ ନାଜାଲ ସ୍ପ୍ରେ ନାକର ମ୍ୟୁକୋସା ଉପରେ ସ୍ପ୍ରେ କରିବା ଫଳରେ ଏହା ଭୂତାଣୁ ବିରୋଧରେ ଲଢ଼ିବା ଭଳି କାମ କରେ । ଗ୍ଲେନମାର୍କର ମୁଖ୍ୟ ବାଣିଜ୍ୟିକ ଅଧିକାରୀ କହିଛନ୍ତି ଯେ ଏହା ରୋଗୀମାନଙ୍କ ପାଇଁ ଅତ୍ୟାବଶ୍ୟକ ଓ ସମୁଚିତ ସମୟରେ ଚିକିତ୍ସା ପାଇଁ ବିକଳ୍ପ ଭାବେ କାର୍ଯ୍ୟ କରିବ ।

Get real time updates directly on you device, subscribe now.