fbpx

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସେମିକଣ୍ଡକ୍ଟର ୟୁନିଟ୍, ୪-୫ ହଜାର ଆଶାୟୀଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୩୦ ତାରିଖଠାରୁ ଆରମ୍ଭ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆଜି ହେଉଛି ଚତୁର୍ଥ ଦିବସ । ତେବେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶାରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସେମିକଣ୍ଡକ୍ଟର ୟୁନିଟ୍ । ବ୍ରିଟେନର ଏସଆରଏଏମ ଆଣ୍ଡ ଏମଆରଏଏମ ଗ୍ରୁପ ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଫ୍ୟାକେସନ ୟୁନିଟ୍ ପ୍ରତିଷ୍ଠା କରିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ଏସଆରଏଏମ ଆଣ୍ଡ ଏମଆରଏଏମ କମ୍ପାନୀ ୩୦ ହଜାର କୋଟି ଟଙ୍କା ବିନିଯୋଗ କରି ଏହି ୟୁନିଟ୍ ପ୍ରତିଷ୍ଠା କରିବ ବୋଲି ପ୍ରତିଶ୍ରୁତି ଦେଇଛି । ସରକାରଙ୍କ ତରଫରୁ କ୍ଲିୟରାନ୍ସ ପାଇବା ପରେ ଆସନ୍ତା ତିନି ମାସ ମଧ୍ୟରେ ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟ ଆଗେଇବ । ରାଜଧାନୀ ଭୁବନେଶ୍ୱର ନିକଟରେ ୪୦ ଏକର ପରିମିତ ଜାଗାରେ ଏହି ୟୁନିଟ୍ ସ୍ଥାପନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ସାଧାରଣ ଭାବେ ୱାଶିଂ ମେସିନ, ମୋବାଇଲ ଫୋନ, ଲାପଟପ, ମାଇକ୍ରୋୱେ, ରେଫ୍ରିଜେରେଟର, ବିମାନରେ ସେମିକଣ୍ଡକ୍ଟରର ବ୍ୟବହାର କରାଯାଇଥାଏ । ପୂର୍ବରୁ ଏହି ଚିପ୍ ପାଇଁ ଭାରତ କୋରିଆ, ତାଇୱାନ ଓ ଚୀନ ଉପରେ ନିର୍ଭର କରୁଥିଲା । ଏବେ ଓଡ଼ିଶାରେ ଏହି ୟୁନିଟ୍ ପ୍ରତିଷ୍ଠା ହେବା ଫଳରେ ଚିପ୍ ଉପରେ ନିର୍ଭରଶୀଳ ଥିବା ଲକ୍ଷାଧିକ ଯାନ୍ତ୍ରିକ ଉପକରରଣର କାର୍ଯ୍ୟ ଆଗେଇ ପାରିବ । ଏଥିସହିତ ସେମିକଣ୍ଡକ୍ଟର ଚିପ୍ ପାଇଁ ଅନ୍ୟ ରାଷ୍ଟ୍ର ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ । ଓଡ଼ିଶାରେ ଉପଲବ୍ଧ ମାନବ ସମ୍ବଳକୁ ଦୃଷ୍ଟିରେ ରଖି ଇଂଲଣ୍ଡର ଏହି କମ୍ପାନୀ ୟୁନିଟ୍ ପ୍ରତିଷ୍ଠା ନେଇ ଆଗ୍ରହ ପ୍ରକାଶ କରିବା ସହ ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.