fbpx

ହିରାକୁଦରେ ଯୋଡ଼ି ହେବ ନୂଆ ଅଧ୍ୟାୟ: ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ, ରାଜ୍ୟ ସରକାରଙ୍କୁ ଦିଆଗଲା ପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହୀରାକୁଦ ନଦୀବନ୍ଧରେ ରାଜ୍ୟର ପ୍ରଥମ ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ହେବ । ଏଥିପାଇଁ ୫ ହଜାର କୋଟି ଟଙ୍କା ବିନିଯୋଗ ହେବ । ପୂର୍ବରୁ ହୀରାକୁଦ ନଦୀବନ୍ଧରେ ଜଳବିଦ୍ୟୁତ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ଆଦି କାର୍ଯ୍ୟ ହେଉଥିବା ବେଳେ ଏବେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଏନେଇ ହିଣ୍ଡାଲକୋ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଶିଳ୍ପ ସଂସ୍ଥାଗୁଡ଼ିକୁ ୨୦୩୦ ସୁଦ୍ଧା ‘ଶୂନ୍ୟ କାର୍ବନ ଉତ୍ସର୍ଜନ’ ଲକ୍ଷ୍ୟ ଦିଆଯାଇଛି । ସମ୍ଭବତଃ ପ୍ରଥମ ଶିଳ୍ପସଂସ୍ଥା ଭାବେ ହିଣ୍ଡାଲକୋ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି ।

ଏହି ପ୍ରକଳ୍ପରେ ୧ ହଜାର ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୫ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ପରିବେଶ ଅନୁକୂଳ ହେବା ସହିତ ହିରାକୁଦର ହିଣ୍ଡାଲକୋ ଆଲୁମିନିୟମ କାରଖାନା ଓ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନାରୁ ଉତ୍ପାଦିତ ତାପଜ ବିଦ୍ୟୁତ ବଦଳରେ ଏହି ବିଦ୍ୟୁତ ବ୍ୟବହାର ହେବ । ୨୦୨୧ ମସିହା ଡିସେମ୍ବର ମାସରେ ସୋଲାର ଏନର୍ଜୀ କର୍ପୋରେସନ ଅଫ୍ ଇଣ୍ଡିଆ (ଏସଇସିଆଇ) ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୪୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିଲା ।

ପରବର୍ତ୍ତୀ ସମୟରେ ୨୦୨୨ ମସିଆରେ ୟୁରୋପୀୟ ୟୁନିୟନ ସହଯୋଗିତାରେ ଇୟୁ କ୍ଲିନ ଏନର୍ଜୀ ଆଣ୍ଡ କ୍ଲାଇମେଟ ପାର୍ଟନରଶିପ (ସିଇସିପି) ଜରିଆରେ ହିରାକୁଦ ଜଳଭଣ୍ଡାରେ ୫ ହଜାର ମେଗାୱାଟ ବିଶିଷ୍ଟ ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଥିଲା । ହିରାକୁରେ ହାରାହାରି ୧୮ ହଜାର ବର୍ଗକିମି ସ୍ଥିର ଜଳରାଶି ରହିଥିବା ବେଳେ ସେଠାରେ ୨୮୦ ଗିଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ ବୋଲି ସେଥିରେ କୁହାଯାଇଥିଲା । ସୂଚନାଯୋଗ୍ୟ ଯେ, ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ କ୍ଷେତ୍ରରେ ଚୀନ ସର୍ବାଗ୍ରେ ରହି ୧.୩ ଗିଗାୱାଟ୍ ସୌର ବିଦ୍ୟୁତ ଉତ୍ପାଦନ କରୁଛି ।

ସାଧାରଣ ଭାବେ ପଶ୍ଚିମ ଓଡ଼ିଶା ଦେଶର ଅନ୍ୟତମ ଉତ୍ତମ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ବେଳେ ସେଠାରେ ୧୯୧୯ ୟୁନିଟ୍ ପର୍ଯ୍ୟନ୍ତ ଗ୍ଲୋବାଲ ହରିଜଣ୍ଡାଲ ଇରେଡିଏସନ ହୋଇଥାଏ । ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ ପାଇଁ ଜମିର ଆବଶ୍ୟକତା ନଥିବାରୁ କୌଣସି ବିସ୍ଥାପନ, ଭୂ-ଅଧିଗ୍ରହଣ କି ପରିବେଶ ପ୍ରଭାବ ଆକଳନର ଆବଶ୍ୟକତା ନାହିଁ । ଏହି ପ୍ରକଳ୍ପ ହେଲେ ହିରାକୁଦ ଜଳଭଣ୍ଡାରୁ ଗ୍ରୀଷ୍ମ ସିଜିନରେ ଜଳ ବାଷ୍କୀକରଣ ହ୍ରାସ ପାଇବ । ତେଣୁ ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ ସକାଶେ ହିରାକୁଦ ଜଳଭଣ୍ଡାର ଶ୍ରେଷ୍ଠ ବିକଳ୍ପ ବୋଲି ସିଇସିପି ପ୍ରକଳ୍ପ ରିପୋର୍ଟରେ କୁହାଯାଇଥିଲା । ତେବେ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ନିତି ଆୟୋଗ ବୈଠକରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.